ହାଇୱା ଧକ୍କାରେ ୩ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ରାସ୍ତା ରୋକ

0

ସୁବର୍ଣ୍ଣପୁର: ଉଲୁଣ୍ଡା ଥାନା ସୋନପୁର- ସମ୍ବଲପୁର ମୁଖ୍ୟ ରାସ୍ତା ମାଟୁପାଲି (ଠାକୁରପଡ଼ା) ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବିଦ୍ୟୁତ ବିଭାଗ (ଟିପିଡବ୍ଲୁଓଡିଏଲ) ବୋଲେରୋକୁ ଦ୍ରୁତଗତିରେ ଆସୁଥ‌ିବା ହାଇୱା ଧକ୍କା ଦେବାରୁ ବିଦ୍ୟୁତ ବିଭାଗର ୩ କର୍ମଚାରୀ ଉଲୁଣ୍ଡା ଥାନା ଗୌଡ଼ଗାଁ ଗ୍ରାମର ଆଭିତ୍ରାଣ ପୁରୋହିତ (୪୦), ପପୁନ ଓରଫ୍ ସଞ୍ଜିବ ପାତ୍ର (୪୦) ଓ ବୋଲେରୋଚାଳକ ବୀରମହାରାଜପୁର ଥାନା ନାଏକପଡ଼ା ଗ୍ରାମର ସୁଶୀଲ ନାଏକ (୨୮) ଙ୍କ ମୃତ୍ୟୁ ହୋଇଥିଲା । ହାଇୱା ଚାଳକ ଓ ଖଲାସୀ ବିହାର ଅଞ୍ଚଳର ଉମେଶ ଯାଦବ ଓ ଦେବେନ୍ଦ୍ର ଯାଦିବ ଗୁରୁତର ହୋଇଥିଲେ ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉଲୁଣ୍ଡା ଡାକ୍ତରଖାନା ସମ୍ମୁଖରେ ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ସ୍ଥାନୀୟ ଲୋକଙ୍କ ସହ ଗ୍ରାମବାସୀ ଓ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀ ରାସ୍ତାରୋକରେ ସାମିଲ ହୋଇଥିଲେ। ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଥିଲା। ଦାବି ପୂରଣ ନହେବା ଯାଏଁ ରାସ୍ତା ଅବରୋଧ ଜାରି ରହିବ ବୋଲି ଚେତାବନୀ ଦିଆଯାଇଥିଲା । ଟିପିଡବ୍ଲୁଓଡିଏଲ୍ ବଲାଙ୍ଗିର ଅଧିକ୍ଷଣ ଯନ୍ତ୍ରୀ ଆଶିଷ ପଣ୍ଡା ଓ ସୁବର୍ଣ୍ଣପୁର ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ର ଘଟଣାସ୍ଥଳକୁ ଆସି ଆନ୍ଦୋନଳକାରୀଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ପରିବାରକୁ ବୀମା ବ୍ୟତୀତ ୩୦ ଲକ୍ଷ ଟଙ୍କା ଲେଖାଏଁ ୧ ମାସ ମଧ୍ୟରେ ପ୍ରଦାନ କରାଯିବ ବୋଲି ଷ୍ଟାମ୍ପ ପେପର୍‌ରେ ଲିଖିତ  ପ୍ରତିଶ୍ରୁତି ଦେଇଥିଲେ ହେଁ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ଥ‌ିବା ଜଣାପଡ଼ିଛି। ସରକାରଙ୍କ ତରଫରୁ କୌଣସି କ୍ଷତିପୂରଣ ଘୋଷଣା କରାଯାଇ ନ ଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା।