ଆସୁଛି ବାତ୍ୟା : ୪୮ ଘଣ୍ଟାରେ ଲଘୁଚାପ 

ଆଉ ୩ଦିନ ମଧ୍ୟରେ ଅର୍ଥାତ ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।

0

(ଭୁବନେଶ୍ୱର) :  ଆଉ ୩ଦିନ ମଧ୍ୟରେ ଅର୍ଥାତ ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

 ଯଦି ବାତ୍ୟା ସୃଷ୍ଟି ହୁଏ, ତାହାର ଦିଗ ମଧ୍ୟ ସ୍ପଷ୍ଟ ହୋଇନାହିଁ । ଆସନ୍ତା ୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ୮ ତାରିଖ ରାତି ଓ ୯ ତାରିଖ ସକାଳ ସୁଦ୍ଧା ଲଘୁଚାପ, ୧୦ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ସୂଚନାନୁଯାୟୀ , ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ୪ ତାରିଖ ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଗଜପତି, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ।