(ରିପୋର୍ଟସଟୁଡେ): ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ହିରୋପନ୍ତି ୨ର ପୋଷ୍ଟର ରିଲିଜ ହୋଇଛି। ଫିଲ୍ମ ପୋଷ୍ଟରରେ ଟାଇଗରଙ୍କୁ ବିନ୍ଦାସ୍ ଅନ୍ଦାଜରେ ଦେଖିବାକୁ ମିଳିଛି। ପୋଷ୍ଟରରୁ ଜଣାପଡ଼ୁଛି ଯେ ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ଟାଇଗର ହିରୋପନ୍ତି ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ପ୍ରବେଶ କରିଥିଲେ। ଏହି ଫିଲ୍ମ ଯୋଗୁ ହିଁ ତାଙ୍କୁ ମାଇଲେଜ୍ ମିଳିଥିଲା।ସାଜିଦ ନାଡ଼ିୟାବାଲାଙ୍କ ପ୍ରଯୋଜିତ ହିରୋପନ୍ତୀ ୨ ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ମହମ୍ମଦ ଖାନ୍। ତେବେ ପୋଷ୍ଟର ରିଲିଜ ହେବା ପରେ ଫିଲ୍ମକୁ ନେଇ ଏକ ବିବାଦ ଦେଖାଦେଇଛି। ହିରୋପନ୍ତୀ ୨ ହଲିଉଡ୍ ଫିଲ୍ମ ‘ଜନ୍ ଓ୍ଵିକ୍’ର କପି ବୋଲି କିଛି ଦର୍ଶକ ଅଭିଯୋଗ କରିଛନ୍ତି। ୨୦୨୧ ମସିହା ଜୁଲାଇ ୧୬ ତାରିଖରେ ଫିଲ୍ମ ରିଲିଜ୍ ହେବ ବୋଲି ଜଣାଯାଇଛି।
ଟାଇଗର ଶ୍ରଫଙ୍କ ହିରୋପନ୍ତି ୨ କୁ ସୋସିଆଲ ମିଡିଆରେ କିୟାନୁ ରିବଜଙ୍କ ସୁପରହିଟ୍ ଫିଲ୍ମ ଜନ୍ ଓ୍ଵିକର କପି ବୋଲି କୁହାଯାଉଛି। କାରଣ ଫିଲ୍ମର ପୋଷ୍ଟରରେ ଟାଇଗର ଶ୍ରଫଙ୍କ କୋଟ୍ ସୁଟ୍ ଲୁକ୍ କିଛି କିଛି ଜନ୍ ଓ୍ଵିକ ସହ ମେଳ ଖାଉଛି। କେବଳ ଏତିକି ନୁହେଁ ଫିଲ୍ମର ଟ୍ୟାଗ୍ଲାଇନ୍ ‘ଦ ଓ୍ଵାର୍ଲ୍ଡ ଓ୍ଵାଣ୍ଟସ୍ ହିମ୍ ଡେଡ୍’କୁ ମଧ୍ୟ ଜନ୍ ଓ୍ଵିକ୍ର ଷ୍ଟୋରି ଲାଇନ୍ରୁ ହିଁ କପି କରାଯାଇଥିବା କୁହାଯାଉଛି।ସୂଚନାଯୋଗ୍ୟ ଯେ ଟାଇଗରଙ୍କ ଫିଲ୍ମ ବାଗୀ ୩ ମାର୍ଚ୍ଚରେ ରିଲିଜ୍ ହେବାକୁ ଯାଉଛି। ଏଥିରେ ଟାଇଗରଙ୍କୁ ଜବରଦସ୍ତ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ। ଫିଲ୍ମରେ ଟାଇଗରଙ୍କ ସହ ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ମିଳିବ।