ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ାକଡି ସୁରକ୍ଷା ବ୍ୟବସ୍ଥା, ସୁରକ୍ଷା ଦାୟିତ୍ୱରେ ରହିବେ ୫୯ ପ୍ଲାଟୁନ ଫୋର୍ସ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । ମୋଟ ୫୯ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱ ରେ ରହିବେ । ଜଣେ ଆଇଜି, ୩ ଜଣ ଡିଆଇଜି,୧୩ ଜଣ ଏସପି ଓ ଡିସିପି ରାଙ୍କ ଅଫିସର , ୧୮ ଜଣ ଅତିରିକ୍ତ ଏସ୍ପି, ୫୮ ଜଣ ଡ଼ିଏସପି, ୯୪ ଇନ୍ସପେକ୍ଟର ଓ ୩୧୨ ଜଣ ଏସଆଇ ଓ ଏଏସଆଇ, ୨୮ ଜଣ କମାଣ୍ଡଡେଣ୍ଟ୍ ସୁରକ୍ଷା ଦାୟିତ୍ୱରେ ରହିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାର ରିହରସେଲ କରିଛନ୍ତି ନିଜେ ପୋଲିସ କମିଶନର । ସଭାସ୍ଥଳକୁ ଆସିବା ପୂର୍ବରୁ କେଉଁ ଗେଟ ରେ କାହାର ଏଣ୍ଟ୍ରି ହେବ ସେ ନେଇ ସୂଚନା ଦିଆଯାଇଛି । ଆସନ୍ତାକାଲି ତାରିଖ ଦିନ ୨ ଟା ୧୦ ମିନିଟରେ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

ରାଜଭବନ ଯାଇ ସେଠାରେ ୨ ଘଣ୍ଟା ରହିବା ପରେ ୪ ଟା ୩୦ ବେଳେ ରାଜଭବନରୁ ବାହାରି ଜନତା ମୈଦାନ ଯିବେ । ସମ୍ପୂର୍ଣ୍ଣ ଜନତା ମୈଦାନକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲ୍‌ରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ଯ୍ୟନ୍ତ ସବୁଠି ପୁଲିସ ଛାଉଣୀ କରାଯିବ। ଟ୍ରାଫିକ୍‌ରେ ସମସ୍ୟା ଦେଖାନଦେବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ୩୫ ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏତେ ବଡ଼ ଆୟୋଜନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି।

ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ହୋଟେଲ୍‌ଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ସେହିପରି ରାଜଧାନୀରେ ରାତ୍ରିକାଳୀନ ପାଟ୍ରୋଲିଂ ସହ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି। ଜନତା ମୈଦାନରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ଶପଥ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହାଛଡ଼ା ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି ଯୋଗଦେବେ। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ହୋଟେଲ୍‌ଗୁଡ଼ିକରେ ଭିଭିଆଇପିଙ୍କ ରହଣି ବ୍ୟବସ୍ଥା ମଧ୍ୟ ହୋଇଛି।