(ମମତା ସାମଲ)ରିପୋର୍ଟସଟୁଡେ: ପୂର୍ବରୁ ଆପଣ ସ୍ୱଚ୍ଛ ଗ୍ରାମ ଏବଂ ସ୍ମାର୍ଟ ଗ୍ରାମ ବିଷୟରେ ଶୁଣିଥିବେ ନିଶ୍ଚୟ । କିନ୍ତୁ କେବେ ଅନ୍ଧ ଗ୍ରାମର ନାମ ଶୁଣିଛନ୍ତି କି ?ଉତ୍ତର ଆମେରିକାର ମେସ୍କିକୋରେ ଏଭଳି ଏକ ରହସ୍ୟମୟ ଗ୍ରାମ ରହିଛି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ୟ୍ୟ ହୋଇଯିବେ। ସେହି ଗ୍ରାମକୁ ଅନ୍ଧ ଗାଁ କହିଲେ କିଛି ଭୁଲ ହେବ ନାହିଁ। କାରଣ ସେହି ଗ୍ରାମରେ ମଣିଷ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ପର୍ୟ୍ୟନ୍ତ ପ୍ରାୟ ସମସ୍ତେ ଅନ୍ଧ। ମଣିଷମାନେ ବାଡି ସାହାଯ୍ୟରେ ଚଳ ପ୍ରଚଳ କରୁଥିଲେ ମଧ୍ୟ ପକ୍ଷୀମାନେ ଉଡିପାରନ୍ତି ନାହିଁ। କାରଣ ପକ୍ଷୀମାନେ ଉଡିବା ମାତ୍ରେ ହିଁ ଗଛରେ ପିଟି ହୋଇ ତଳେ ପଡନ୍ତି।
ଅନ୍ଧ ଗାଁ ଭାବେ ଜଣାଶୁଣା ଏହି ରହସ୍ୟମୟୀ ଗ୍ରାମର ପ୍ରକୃତ ନାମ ହେଉଛି ଟିଲ୍ଟେପେକ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୋପୋଟେକ ଜନଜାତିର ଲୋକେ ଏଠାରେ ବସବାସ କରନ୍ତି। ଜନ୍ମ ସମୟରେ ଶିଶୁଟି ଏକଦମ୍ ସୁସ୍ଥ ଥାଏ। କିନ୍ତୁ କିଛି ଦିନ ପରେ ଦୃଷ୍ଟିଶକ୍ତି ଚାଲିଯାଏ ଅର୍ଥାତ୍ ସେ ପୁରା ଅନ୍ଧ ହୋଇଯାଏ।
ଦୃଷ୍ଟିହୀନତାର କାରଣ ଏକ ଅଭିଶପ୍ତ ବୃକ୍ଷ ବୋଲି ଗ୍ରାମବାସୀମାନେ ବିଶ୍ବାସ କରନ୍ତି। ସେମାନଙ୍କ କହିବା ହେଲା ଯେ, ଲାବଜୁଏଲା ନାମକ ଏକ ବୃକ୍ଷକୁ ଦେଖିବା ପରେ ମଣିଷ ଠାରୁ ଆରମ୍ଭ କରି ପଶୁ ଓ ପକ୍ଷୀ ପ୍ରାୟ ସମସ୍ତେ ଦୃଷ୍ଟିଶକ୍ତି ହରାଇ ବସନ୍ତି।
କିନ୍ତୁ ବୈଜ୍ଞାନିକ ମତ ଅନୁଯାୟୀ, ଲୋକଙ୍କ ଦୃଷ୍ଟିହୀନ ପଛର କାରଣ କୌଣସି ରହସ୍ୟମୟୀ ବୃକ୍ଷ ନୁହେଁ ବରଂ ଏକ ବିଷାକ୍ତ ପ୍ରଜାତିର ମାଛି। ଏହି ବିଷାକ୍ତ ମାଛି କାମୁଡିବା ଦ୍ବାରା ସେମାନେ ଦୃଷ୍ଟିହୀନ ହେଉଛନ୍ତି।
ସବୁଠୁ କୌତୁହଳପୂର୍ଣ୍ଣ ବିଷୟ ହେଲା, ଏହି ଗ୍ରାମରେ ୭୦ଟି ନୂଆଣିଆ ଚାଳ ଘର ରହିଛି। ପ୍ରାୟ ୩୦୦ ଲୋକ ଏଠାରେ ବସବାସ କରନ୍ତି। କିନ୍ତୁ କୌଣସି ଘରେ ଝରକା ଓ କବାଟ ନାହିଁ ।
କୁହାଯାଉଛି ଯେ, ସେଠାରେ କିଛି ଲୋକଙ୍କ ଦୃଷ୍ଟିଶକ୍ତି ଠିକ୍ ରହିଛି । ଯେଉଁମାନଙ୍କ ପାଇଁ ଅନ୍ୟମାନେ ସୁବିଧାରେ ଚଳନ୍ତି।