ଆଜି ଭାରତୀୟ ନୌସେନା ଦିବସ । ସେନା ମାନଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ଭାରତୀୟ ନୌସେନା ଦିବସ ଭାବେ ପାଳନ କରାଯାଇଥାଏ । ଅଦମ୍ୟ ସାହସ, ନିଷ୍ଠା ଏବଂ ଆମର ସାମୁଦ୍ରିକ ସୀମାର ସୁରକ୍ଷା ପାଇଁ ବୀର ଯୋଦ୍ଧା ମାନେ ସଦା ପ୍ରସ୍ତୁତ ରହିଥିାନ୍ତା । ତେଣୁ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନୌସେନା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସମୁଦ୍ରକୁ ଲାଗି ରହିଥିବା ସୀମାବର୍ତ୍ତୀ ଅଞ୍ଚଳରେ ନୌସୈନିକମାନେ ଦିନରାତି ସଜାଗ ରହି ଦେଶକୁ ଶତ୍ରୁ ମୁଖରୁ ରକ୍ଷା କରିଥାନ୍ତି । ୧୯୭୧ ଡିସେମ୍ବର ୩ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଘମାଘୋଟ ଯୁଦ୍ଧରେ ବୀରତ୍ବ ପ୍ରଦର୍ଶନ କରିଥିଲା ଭାରତୀୟ ନୌସେନା । ସେବେଠାରୁ ନୌସେନା ଦିବସ ପାଳନ କରାଯାଉଛି ।
ସୂଚନା ଅନୁଯାୟୀ, ୧୯୭୧ ମସିହା ଡିସେମ୍ବର ୩ ତାରିଖରେ ପାକିସ୍ତାନୀ ସେନା ଭାରତୀୟ ବାୟୁସୀମା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲା। ଏହାର ମୁକାବିଲା ପାଇଁ ‘ଅପରେସନ ଟ୍ରାଇଡେଣ୍ଟ’ ଜରିଆରେ ପାକିସ୍ତାନ ନୌସେନା ଉପରେ ଆକ୍ରମଣ କରିଥିଲା ଭାରତ। ଏଥିରେ ପାକିସ୍ତାନର କିଛି ଜାହାଜ ଓ ତେଲ ଡିପୋ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଧ୍ବଂସର ପ୍ରଭାବ ଏତେ ଥିଲା ଯେ, ୭ ଦିନ ପର୍ଯ୍ୟନ୍ତ ଏହି ଡିପୋଗୁଡ଼ିକ ଜଳିଥିଲା। ଆକ୍ରମଣ ଯୋଗୁଁ ପାକିସ୍ତାନୀ ନୌସେନାର ଡେଷ୍ଟ୍ରୟର୍ ପିଏନ୍ଏସ୍ ଖାଇବର ଓ ମାଇନ୍ ସ୍ବିପର ପିଏନ୍ଏସ୍ ମୁହାଫିକ ଧ୍ବଂସ ହୋଇଯାଇଥିଲା । ଏଥିରେ ୭୨୦ ପାକିସ୍ତାନୀ ନୌସୈନିକ ପ୍ରାଣ ହରାଇଥିଲେ । ଶେଷରେ ପାକିସ୍ତାନ ନୌସେନା ଭାରତ ନିକଟରେ ଆତ୍ମସମର୍ପଣ କରିଥିଲା । ତେବେ ଭାରତୀୟ ନୌସେନାର ଏହି ବଡ଼ ବିଜୟକୁ ମନେ ପକାଇବା ସହ ସେମାନଙ୍କ ବୀରତ୍ବକୁ ସଲାମ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରାଯାଇ ଆସୁଛି ।