ପୁରୀ / ସଞ୍ଜୟ ମହାପାତ୍ର : ଆଜି ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ମଧ୍ୟାହ୍ନ ଧୂପ ବଢିବା ପରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି,ପବିତ୍ରା ଲାଗି ଓ ଇନ୍ଦ୍ରଧ୍ବଜା ପୂଜା ଵିଧି ଅନୁଷ୍ଠିତ ହେବ । ସଡ଼ ଜୟନ୍ତୀ ମାନଙ୍କ ମଧ୍ୟରୁ ବାମନ ଜନ୍ମ ଅନ୍ୟତମ ହୋଇଥିବାରୁ ଗତକାଲି ରାତ୍ରରେ ଶ୍ରୀମନ୍ଦିର ପୁରୋହିତଙ୍କ ଦ୍ୱାରା ଅଧିବାସ ହୋଇଥିଲା । ସେପଟେ ଗତକାଲି ମହାପ୍ରଭୁଙ୍କ ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ସମ୍ପର୍ଣ୍ଣ ହୋଇଥିଲା। ଆଜି ଗରୁଡ ପାର୍ଶ୍ୱ ପରିବର୍ତ୍ତନ ନିତି ରହିଛି। ସେପଟେ ଗତକାଲି ନିତି ବିଳମ୍ବ ଯୋଗୁଁ ଆଜି ସକାଳ ପ୍ରାୟ ୫ଟା ପରେ ମହାପ୍ରଭୁ ପହୁଡ ହୋଇଥିଲେ। ଗତକାଲି ପହୁଡ ହୋଇନପାରିବା ଯୋଗୁଁ ମହାପ୍ରଭୁ ରାତି ଉଜାଗର ରହିଥିଲେ। ମହାପ୍ରଭୁ ସକାଳେ ପହୁଡ ହେବା ଯୋଗୁଁ ଦର୍ଶନରେ ମଧ୍ୟ ଅହେତୁକ ବିଳମ୍ବ ହୋଇଥିଲା। ସକାଳ ୭ଟା ୫୨ରେ ସିଂହଦ୍ଵାର ଫିଟିଥିବା ବେଳେ ପ୍ରାୟ ୮ଟା ପରେ ଦର୍ଶନ ଆରମ୍ଭ ହୋଇଥିଲା। ନିତିକାନ୍ତି ବିଶୃଙ୍ଖଳା ଯୋଗୁଁ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଘଣ୍ଟାଘଣ୍ଟା ଧରି ଲୁହା ବେରିକେଡରେ ଅପେକ୍ଷା କରିବାକୁ ପଡିଛି। ତେବେ ଗତକାଲିର ରାତି ପହୁଡ ଆଜି ଦିନରେ ହେବା କେତେଦୂର ଠିକ୍ ବୋଲି ପ୍ରଶ୍ନ ଉଠିଛି। ସେପଟେ ବାମନ ଜନ୍ମ ନୀତି ପାଇଁ ଆଜି ମଧ୍ୟାହ୍ନ ଧୂପ ଛେକ ପରେ ପ୍ରାୟ ୨ରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଜନ୍ମ ନୀତି ସରିବା ପରେ ପୁନର୍ବାର ଦର୍ଶନ ଚାଲୁ ରହିବ ବୋଲି ଜଣାପଡିଛି। ସେପଟେ ଆଜି ହେଉଛି ପବିତ୍ର ସୁନିଆ ଉତ୍ସବ। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି 1431 ସାଲ 67 ଅଙ୍କର ପ୍ରବେଶ। ଏହି ଅବସରରେ ଆଜି ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜାଙ୍କର 67 ଅଙ୍କ ଆରମ୍ଭ ହେବ । ଜାତକ ଓ ପାଞ୍ଜି ଅଙ୍କ ଗଣନାର ରହିଛି ବିଶେଷ ମହତ୍ୱ। ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିବେ ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ। ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହେବ । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ କରାଯିବ । ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବ । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିବେ ।