ଆଜି ଜନ୍ମାଷ୍ଟମୀ : ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ

0

ବ୍ୟୁରୋ : କୁହାଯାଏ ଯେବେ ପାପୀମାନଙ୍କର ପ୍ରାଦୁର୍ଭାବ ବଢ଼ିଯାଏ, ସେହି ସମୟରେ ଭଗବାନ ନିଜେ ଏ ଧାରା ପୃଷ୍ଠକୁ ଅବତାର ନେଇ ଆସନ୍ତି। ଆଉ ତାଙ୍କ ଲୀଳା ଖେଳା ଏ ଜଗତ ବାସୀ କାହିଁ କେଉଁ କାଳୁ ଶୁଣି ଆସୁଛନ୍ତି। ହେଲେ ତାଙ୍କ ସେହି ଅପୂର୍ବ ଲୀଳା ଯେତେ ଶୁଣିଲେ ବି ନୂଆ ଲାଗିଥାଏ | ଭଗବାନ କୃଷ୍ଣଙ୍କ ଲୀଳା ଶୁଣିବାକୁ ଅଧିକ ଉତ୍ସୁକ ଲାଗିଥାଏ | ଦ୍ବାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ଶ୍ରୀକୃଷ୍ଣଙ୍କ ରୂପରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଯେଉଁଦିନ ସେ ଧରାବତରଣ କରିଥିଲେ ସେଦିନ ଥିଲା ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି | ତେବେ ଆଜି ହେଉଛି ସେହି ପବିତ୍ର ଦିନ | ଆଜିର ଦିନରେ ଭକ୍ତ ବତ୍ସଳ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ | ଏଣୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ଭାବେ ପାଳନ କରନ୍ତି। ସମଗ୍ର ଭାରତ ସହିତ ଓଡ଼ିଶାର ପୁରପଲ୍ଲୀରେ ଏହା ମହାସମାରୋହରେ ପାଳିତ ହୁଏ।

ପୌରାଣିକ କଥା ଅନୁସାରେ, ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଧରାବତରଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ। ମଥୁରା ନଗରୀର ରାଜା କଂସର ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଯେତେବେଳେ ଦେବକୀ ଓ ବସୁଦେବଙ୍କୁ ରଥରେ ବସାଇ କଂସ ଯାଉଥିଲା, ସେହି ସମୟରେ ଆକାଶବାଣୀ ହେଲା ଯେ, ଭଉଣୀ ଦେବକୀର ଅଷ୍ଟମ ସନ୍ତାନ କଂସର ବଧ କରିବ । ଏହାପରେ ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ କଂସ କାରାଗାରରେ ବନ୍ଦୀ କରି ରଖିଲା। କଂସ ଦେବକୀଙ୍କର ପ୍ରଥମ ଛଅଟି ସନ୍ତାନଙ୍କ ହତ୍ୟା କରିଥିଲା । ଅନ୍ୟ ସନ୍ତାନ ଜଣକ ଉଭେଇ ଗଲେ। ଧର୍ମର ରକ୍ଷା ପାଇଁ ଅଧର୍ମର ବିନାଶ ପାଇଁ ଜନ୍ମ ନେଇଥିଲେ ଗୋଲକବିହାରୀ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର ।

କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ଏଣୁ ଅତ୍ୟାଚାରୀ ମାମୁଁ କଂସର ଭୟରେ ପିତା ବସୁଦେବ ନବଜାତ ଶିଶୁକୁ ନିଜ ବନ୍ଧୁ ଗୋପପୁରର ନନ୍ଦ-ଯଶୋଦାଙ୍କ ପାଖରେ ଛାଡ଼ି ଦେଇ ଆସିଥିଲେ । ଗୋପପୁରର ରାଜା ନନ୍ଦବାବା ଓ ରାଣୀ ଯଶୋଦା ମାତା ଶ୍ରୀକୃଷ୍ଣଙ୍କୁ ପାଇ ଖୁସିରେ ବିଭୋର ହୋଇଯାଇଥିଲେ ।

ଆଉ ସେହି ଦିନରୁ ଜନ୍ମାଷ୍ଟମୀ ପର୍ବ ମହାଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂର ହୋଇଥାଏ । ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ । ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ । ଶ୍ରୀମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ, ପାଳନ ହୋଇଥାଏ ଶ୍ରୀକୃଷ୍ଣଙ୍କ ଜନ୍ମନୀତି।