ଭୁବନେଶ୍ୱର-: ବାଜିଲା ଯୁଦ୍ଧ ସାଇରନ । ଓଡ଼ିଶାର ୧୨ଟି ଜିଲ୍ଲାରେ ଯୁଦ୍ଧ ସାଇରନ୍ ବାଜିବ ପରେ ଆରମ୍ଭ ହୋଇଛି ଯୁଦ୍ଧ ପ୍ରସ୍ତୁତି ପାଇଁ ମକଡ୍ରିଲ । ଏକାସାଙ୍ଗରେ ଭୁବନେଶ୍ୱର, କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱର, ରାଉରକେଲା, ଗଞ୍ଜାମର ଗୋପାଳପୁରରେ ଯୁଦ୍ଧ ସାଇରନ ବାଜିଛି ।
ଏହି ସିଭିଲ ଡିଫେନ୍ସ ମକଡ୍ରିଲରେ ଯୁଦ୍ଧ ସମୟରେ ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କିମ୍ବା ବୋମା ବର୍ଷଣ କଲେ କିପରି ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ହେବ ଏବଂ କେଉଁ ସବୁ ପଦକ୍ଷେପ ଆପଣାଇବାକୁ ହେବ ସେସମ୍ପର୍କରେ ପରାମର୍ଶ ଦିଆଯାଇଛି । ଯୁଦ୍ଧ ହେଲେ ଜନସାଧାରଣ କିପରି ନିଜ ଧନଜୀବନକୁ ସୁରକ୍ଷିତ ରଖିବେ ସେ ନେଇ ଆଜିର ଏହି ମକଡ୍ରିଲ କରାଯାଇଛି । ଏଥିରେ କେହି ଭୟଭୀତ ହେବାର ନାହିଁ ବୋଲି ପରାମର୍ଶ ଦିଆଯାଇଥିଲା । ଅପରାହ୍ନ ୪ଟା ସମୟରେ ପ୍ରଥମ ସାଇରନ ନାଗରିକଙ୍କୁ ସଚେତନ ହେବାପାଇଁ ବାଜା ଯାଇଥିଲା ପୁଣି ଥରେ ୪ଟା ୩୦ ମିନିଟ୍ ସମୟରେ ପୁନର୍ବାର ଶେଷ ଆଲର୍ଟ ନିମନ୍ତେ ଆଉ ଗୋଟିଏ ଥର ସାଇରନ ବାଜିଥିଲା । ଏହି କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର କରି ଜନ ସଚତନତା ସୃଷ୍ଟି କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ଏହି ମକଡ୍ରିଲ ନାଗରିକ ଏବଂ ଅଧିକାରୀମାନଙ୍କୁ ପ୍ରକୃତ ସଙ୍କଟ ସମୟରେ ଦକ୍ଷତାର ସହ ପ୍ରତିକ୍ରିୟା କରିବାରେ ସାହାଯ୍ୟ କରିବ। ଏହା ନାଗରିକ-ସୈନ୍ୟ ସମନ୍ୱୟ ଗଢ଼ି ଭାରତର ସାମଗ୍ରିକ ପ୍ରତିରକ୍ଷା ପ୍ରସ୍ତୁତିକୁ ସମର୍ଥନ କରେ । ଯଦିଓ ଏହି ଅଭ୍ୟାସ ସତର୍କତାମୂଳକ ଏବଂ ଭାରତର ଦୀର୍ଘକାଳୀନ ଜାତୀୟ ପ୍ରସ୍ତୁତି ରଣନୀତିର ଏକ ଅଂଶ । ଏହା ଦେଶର ନାଗରିକମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ଯୁଦ୍ଧ ଭିତ୍ତିକ ସ୍ତିତିରେ କିପରି ସତର୍କତା ଅବଲମ୍ବନ କରିବାକୁ ହେବ ତାହାର ପ୍ରସ୍ତୁତି । ତେବେ ଏହି ପ୍ରସ୍ତୁତି ନିଶ୍ଚିତ ଦେଶର ସୁରକ୍ଷା ବଜାୟ ରଖିବାରେ ଏକତାବଦ୍ଧ ପ୍ରୟାସକୁ ବୃଦ୍ଧି କରିବ ।