(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଅତିଥିଭାବେ ଯୋଗଦେଇ ସନ୍ଧ୍ୟାର ସାଂସ୍କୃତିକ କାର୍ୟ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବୟନଶିଳ୍ପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ, ବିଭାଗୀୟ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ବିଭାଗୀୟ ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ‘ସହାୟ’ ଏବଂ ‘ସ୍ବାଭିମାନ’ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା। ‘ସହାୟ’ ପକ୍ଷରୁ ଦିବ୍ୟାଙ୍ଗ ପିଲାମାନେ ଫ୍ୟୁଜନରେ ‘ଦଶାବତାର’ ନୃତ୍ୟ ପରିବେଷଣ କରିଥିଲେ। ସେହିଭଳି ଦୃଷ୍ଟିବାଧିତ ଗୋପାଳ ସାହୁ ନିଜ ହୃଦୟସ୍ପର୍ଶୀ କଣ୍ଠରେ ‘ତେରି ମେରି କାହାନୀଟ୍ଟ’ ଓ ‘ସୁନୋନାଟ୍ଟ’ ଗୀତ ପରିବେଷଣ କରିବା ପରେ ସମ୍ବଲପୁରୀ ନୃତ୍ୟ ରଙ୍ଗବତୀ ପରିବେଷଣ କରାଯାଇଥିଲା। ପରେ ପରେ ଅସିତ ମହାପାତ୍ର ଓ ମୋହିତ ମହାପାତ୍ର ତବ୍ଲା ଓ ବଂଶୀବାଦନ କରିଥିଲେ। ସାର୍ଥକ ଦ୍ୱିବେଦୀଙ୍କ କ୍ୟାସିଓ ବାଦନ ପରେ ପରିବେଷିତ ଶାସ୍ତ୍ରୀୟ ନୃତ୍ୟ ଅନ୍ୟତମ ଆକର୍ଷଣ ସାଜିଥିଲା। ସେହିଭଳି ମିଥିଳେଶ ପଟ୍ଟନାୟକ ଓ ଶକ୍ତିସ୍ବରୂପ ବୀର ପ୍ରଥମେ ଏକକ ଓ ପରେ ଡୁଏଟ୍ ଗାନ କରିଥିଲେ। ଦୀର୍ଘ ୧୩ ଦିନ ବ୍ୟାପୀ ଚାଲିଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ଚଳିତବର୍ଷ ୧୦ କୋଟି ୫୪ ଲକ୍ଷ ୬୩ ହଜାର ଟଙ୍କାର ହସ୍ତଶିଳ୍ପ ବିକ୍ରିବଟା ହୋଇଥିବାବେଳେ ୮ କୋଟି ୨୨ ଲକ୍ଷ ୧୦ ହଜାର ଟଙ୍କାର ହସ୍ତତନ୍ତ ବିକ୍ରିହୋଇଛି ।