ବୁଲି ଯାଆନ୍ତୁ ଆଠମଲ୍ଳିକର ଏହି ସବୁ ସ୍ଥାନ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋିତୁ । ଆଜିର ଆସନ୍ତୁ ବୁଲିଯିବା ଅନୁଗୁଳ ଜିଲ୍ଲାର ଆଠମଲ୍ଳିକୁ । ଏଠାକାର ପ୍ରମୁଖ ପର୍ୟ୍ୟଟନସ୍ଥଳୀ ମଧ୍ୟରେ ରହିଛି କୁକୁଡ଼ାଦରହ। ବଣଭୋଜି ପାଇଁ ଏହି ସ୍ଥାନଟି ବେଶ୍‌ ଲୋକପ୍ରିୟ। ସେହିପରି ଆଠମଲ୍ଲିକରୁ କିଆକଟା ରାଜ୍ୟ ରାଜପଥରେ ମାତ୍ର ୫ କିଲୋମିଟର ଗଲେ ପଡ଼େ ଓଡ଼ଶିଙ୍ଗା ଗ୍ରାମ। ଏହି ଗ୍ରାମରେ ରହିଛି ଦେଉଳଝରି ଉଷ୍ଣପ୍ରସ୍ରବଣ ଓ ଶ୍ରୀ ସିଦ୍ଧେଶ୍ୱର ବାବା ଶୈବପୀଠ।
କିଆବଣରେ ପରିବେଷ୍ଟିତ ଏହି ଆଧ୍ୟାତ୍ମିକ ସ୍ଥଳୀରେ ବାବାଙ୍କ ଲିଙ୍ଗରୁ ଅନବରତ ଜଳ ଉଦ୍‌ଗୀରଣ ହେଉଥାଏ, ଯାହା ବାବାଙ୍କ ଲିଙ୍ଗକୁ ଧୌତ କରିଥାଏ। ପୂର୍ବରୁ ଏଠାରେ ଛୋଟବଡ଼ ହୋଇ ୮୪ଟି ଉଷ୍ଣପ୍ରସ୍ରବଣ କୁଣ୍ଡ ଥିବାବେଳେ ଏବେ ମାତ୍ର ୨୪ଟି କୁଣ୍ଡ ଦେଖିବାକୁ ମିଳୁଛି। ଏଠାରେ ଭକ୍ତମାନଙ୍କ ସ୍ନାନ ପାଇଁ ଉଦ୍ଦିଷ୍ଟ ଥିବା ଦୁଇଟି ସ୍ନାନକୁଣ୍ଡର ଜଳ ପରସ୍ପରକୁ ଲଗାଲଗି ହୋଇ ରହିଛି।
ଉଭୟକୁଣ୍ଡର ଜଳ ପରସ୍ପର ମଧ୍ୟରେ ପ୍ରବାହିତ ହେଉଥିବାବେଳେ ଗୋଟିଏ କୁଣ୍ଡର ଜଳ ଗରମ ହୋଇଥିବା ବେଳେ ଅନ୍ୟଟି ଥଣ୍ଡା ଏବଂ ଉଭୟଙ୍କ ତାପମାତ୍ରା ସ୍ଥିର, ଯାହାକି ଅନ୍ୟ କୌଣସି ଉଷ୍ଣପ୍ରସ୍ରବଣଠାରୁ ଦେଖିବାକୁ ମିଳେ ନାହିଁ।
ସେହିପରି ଆଠମଲ୍ଲିକଠାରୁ ପୂର୍ବକୁ ୨୫ କିଲୋମିଟର ଦୂରକୁ ଗଲେ ମହାନଦୀ କୂଳରେ ମା’ ବିନିକେୟୀ ପୀଠ ଅବସ୍ଥିତ। ଭଉୟ ମହାନଦୀର ଅବବାହିକା ଓ ପଞ୍ଚଧାର ପର୍ବତର ମିଳନସ୍ଥଳୀ ହେଉଛି ବିନିକେୟୀ। ଏଠାରେ ମା’ ବିନିକେୟୀଙ୍କ ମନ୍ଦିର ଥିବାବେଳେ, ଏଠାକାର ମନଛୁଆଁ ପ୍ରାକୃତିକ ସୌନ୍ଦର୍ୟ୍ୟ ଓ ପରିବେଶ ପର୍ୟ୍ୟଟକଙ୍କର ମନ ମୋହିଥାଏ। ସେହିପରି ବିନିକେୟୀ ମଧ୍ୟ ହେଉଛି ସାତକୋଶିଆ ଗଣ୍ଡର ଉତ୍ପତ୍ତିସ୍ଥଳ। ଏଠାରେ ପର୍ୟ୍ୟଟକଙ୍କର ମନୋରଞ୍ଜନ ପାଇଁ ନୌବିହାରର ସୁବ୍ୟବସ୍ଥା ରହିଛି।
ଆଠମଲ୍ଲିକର ଯଦୁପୁରଠାରେ ୩ କିଲୋମିଟର ଦୂରରେ ରହିଛି ଝିମେଇଚୁଆର ବାବା ଗୁପ୍ତେଶ୍ୱର ଶୈବପୀଠ। ଏହି ଶୈବପୀଠକୁ ଲାଗି ରହିଛି ଘଞ୍ଚ ଜଙ୍ଗଲ, ପାହାଡ଼ ଓ ଝରଣା। ବର୍ଷସାରା ବାବାଙ୍କ ଲିଙ୍ଗଟି ଜଳରେ ବୁଡ଼ି ରହିବା ସହ ଏହି ଲିଙ୍ଗରୁ ମଧ୍ୟ ଜଳ ଉଦ୍‌ଗୀରଣ ହୋଇଥାଏ। ଏଠାକାର ଥଣ୍ଡା ଓ ପ୍ରାକୃତିକ ପରିବେଶ ଖୁବ୍‌ ମନଛୁଆଁ।
ଏତଦ୍‌ବ୍ୟତୀତ ଆଠମଲ୍ଲିକ ସହର ନିକଟରେ ଆହୁରି ଅନେକ ଆକର୍ଷଣୀୟ ପର୍ୟ୍ୟଟନସ୍ଥଳୀ ରହିଛି। ସେଗୁଡ଼ିକ ହେଉଛି ମହାନଦୀ କୂଳରେ ଥିବା ବେଲପୁଞ୍ଜି ମଠ, ମାନ୍‌ଜୋର୍‌ ଡ୍ୟାମ୍‌, ସୁରେଶ୍ୱରୀ ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀ ମନ୍ଦିର, କୋରାବ୍‌ ଜଙ୍ଗଲ, ଟକବା ଜଙ୍ଗଲ, ତଲେଇ ପଥର, କେତକୀଝରଣ ଇଦ୍ୟାଦି।