ବାହୁବଳୀ ବିଧାୟକଙ୍କ ଗୁଣ୍ଡାଗିରୀ, ସାମ୍ବାଦିକଙ୍କୁ ମାରି କଲେ ଲହୁ ଲୁହାଣ

0

(ସୌମ୍ୟ ରଂଜନ ସେଠୀ): ଦିନକୁ ଦିନ ବାହୁବଳୀ ବିଧାୟଙ୍କ ଗୁଣ୍ଡାଗିରି ବଢିବାରେ ଲାଗିଛି । କେବେ ଜନସାଧାରଣଙ୍କ ଉପରେ ଗୁଣ୍ଡାଗିରୀ କରୁଛନ୍ତି ତ କେବେ ସରକରୀ ଅଫିସରଙ୍କ ଉପରେ ଗୁଣ୍ଡାଗିରୀ କରୁଛନ୍ତି କିନ୍ତୁ ଆଜି ସାମ୍ବାଦିକଙ୍କୁ ମାଡମାରି ଲହୁଲୁହାଣ କରିଛନ୍ତି ବିଧାୟକ । ବାଲେଶ୍ୱର ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଆକ୍ରମଣର ଶୀକାର ସାମ୍ବାଦିକ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଛନ୍ତି । ବିଧା ଗୋଇଠା ମାରି ବିଧାୟକ ଓ ତାଙ୍କ ସମର୍ଥକ ଗୁଣ୍ଡାମାନେ କନକ ନ୍ୟୁଜ୍ର ପ୍ରତିନିଧି ପ୍ରମୋଦ ଦାସ ଓ ନ୍ୟୁଜ୍ ସେଭେନ ସ୍ଥାନୀୟ ପ୍ରତିନିଧିଙ୍କୁ ମାଡ ମାରି ଗୁରୁତର କରିଛନ୍ତି । କେବଳ ସେତିକି ନୁହେଁ ମୋବାଇଲ୍ ଛଡାଇ ନେଇ ସମସ୍ତ ରେକର୍ଡିଂ ନଷ୍ଟ ମଧ୍ୟ କରିଦେଇଛନ୍ତି । ଘଟଣା ପଛର କାରଣ ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହେବେ । ବିଜୁ କୃଷକ କଲ୍ୟାଣ ଯୋଜନାରେ ଅନିୟମିତତା ଅଭିଯୋଗ କରି କୃଷି କାର୍ୟ୍ୟାଳୟରେ ତାଲା ପକାଇ ଧାରଣା ଦେଉଥିଲେ ବିଧାୟକ । ଆଉ ସାମ୍ବାଦିକମାନେ ଏ ଘଟଣାର ଚିତ୍ର ଉତୋଳନ କରିବାରୁ ବିଧାୟକଙ୍କ ମୁଣ୍ଡକୁ ପିତ ଚଢିଯାଇଥିଲା । ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ସାମ୍ବାଦିକମାନଙ୍କୁ ମାଡ ମାରିଥିଲେ ବିଧାୟକ ପର୍ଶୁରାମ ଧଡା ଓ ତାଙ୍କ ସମର୍ଥକ । କେବଳ କନକ ନ୍ୟୁଜ୍ ପ୍ରତିନିଧି ନୁହଁନ୍ତି, ନ୍ୟୁଜ୍ ସେଭେନର ପ୍ରତିନିଧି ମଧ୍ୟ ଆକ୍ରୋଶ ଓ ମାଡରୁ ବାଦ୍ ପଡିନାହାଁନ୍ତି ।

ଅନେକ ସମୟରେ ଦେଖାଯାଉଛି ଖବର ସଂଗ୍ରହ କରିବା ପାଇଁ ଯାଉଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଏପରି ଭାବରେ ମରଣାନ୍ତକ ଆକ୍ରମଣ ହେଉଛି । ଜଣେ କାର୍ୟ୍ୟରତ ସାମ୍ବାଦିକଙ୍କୁ ଏପରି ଭାବରେ ମାଡ ମରାଯାଇଥିବା ଘଟଣାକୁ ସାଧାରଣରେ ବିରୋଧ କରାଯାଇଛି । ଗୋଟିଏ ପଟେ ବିଜେଡି ମୁଖିଆ ସାମ୍ବାଦିକମାନଙ୍କ ସୁରକ୍ଷା କଥାର ଡିଣ୍ଡିମ ପିଟି ବୁଲୁଥିବା ବେଳେ ତାଙ୍କର ବିଧାୟକମାନେ ଯେପରି ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆକ୍ରମଣ କରିବାର ଅଭିଯୋଗ ଆସିଛି ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।