(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ତଥା ଚୁଡାନ୍ତ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚରେ ଭାରତ ଟସ୍ ଜିତିଛି । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ତେଣୁ ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ତେଣୁ କରି ସଂନ୍ଧ୍ୟାରେ ବାରବାଟୀ ଦିନିକିଆରେ ଝଲସିବ କ୍ଲକ୍ ଟାୱାର। ବାରବାଟୀର ସ୍ୱତନ୍ତ୍ରତା ଭିତରେ ସ୍ଥାନ ପାଇଥିବା ଏହି କ୍ଲକ୍ ଟାୱାର ଆଜିର ମ୍ୟାଚ୍ ସମୟରେ ଦର୍ଶକଙ୍କ ଆଖିକୁ ଆକର୍ଷିତ କରିବ। ଏପରିକି ରାତି ସମୟରେ ଏହା ବେଶ ଆକର୍ଷଣୀୟ ଦେଖାଯିବ ବୋଲି କୁହାଯାଇଛି।
ଏଥର ମ୍ୟାଚ୍ ପାଇଁ କ୍ଲକ୍ ଟାୱାରଙ୍କୁ ସ୍ୱତନ୍ତ୍ର ଭାବେ ସଜା ଯାଇଛି। କ୍ଲକ୍ ଟାୱାରକୁ ବିଭିନ୍ନ ଆଲୋକାମାଳାରେ ସଜାଯିବା ସହ ଏଥିରେ ଥିବା ଘଣ୍ଟାକୁ ମଧ୍ୟ ମରାମତି କରାଯାଇଁ ଡିଜାଇନ୍ କରାଯାଇଛି। ବାରବାଟୀ ପଡ଼ିଆକୁ ଲାଗି ରହିଥିବା ଏହି ସୁଉଚ୍ଚ ଅଟ୍ଟାଳିକା ପ୍ରତିଥର ପରି ଏଥର ମଧ୍ୟ ଦର୍ଶକଙ୍କ ଆଖିକୁ ବାନ୍ଧି ରଖିବ।
ବାରବାଟୀ ମ୍ୟାଚ୍ ସମୟରେ ବୋଲିଂ ପାଇଁ ଦୁଇଟି ପାର୍ଶ୍ୱ ରହିଛି। ଏମାନଙ୍କ ମଧ୍ୟରୁ ଗୋଟିଏ ମହାନଦୀ ପାର୍ଶ୍ୱ କୁହାଯାଉଥିବାବେଳେ ଅନ୍ୟଟି କକ୍ ଟାୱାର ପାର୍ଶ୍ୱ ନାମରେ ପରିଚିତ। ତେଣୁ ମ୍ୟାଚ୍ ସମୟରେ ଭାଷ୍ୟକାରମାନେ ସବୁବେଳେ ଏହି କ୍ଲକ୍ ଟାୱାରକୁ ନେଇ କମେଣ୍ଟ୍ରି କରିଥାନ୍ତି। ଗତ ଫଣି ବାତ୍ୟା ସମୟରେ ବାରବାଟୀ କ୍ଲକ୍ ଟାୱାର ବେଶ୍ କ୍ଷତିଗ୍ରସ୍ତ ହୋଇଥିଲା। ଏହାପରେ ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଏହାର ମରାମତି କରାଯାଇଛି।