(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ରାଉରକେଲା ବାସୀଙ୍କ ପାଇଁ ଖୁସି ଖବର । ଆଜି ଠାରୁ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ(୧୮୧୧୭/୧୮୧୧୮)କୁ ସପ୍ତାହର ସବୁଦିନ ଚଳାଚଳ କରିବା ନେଇ ସ୍ଥିର କରାଯାଇଛି । ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
୨୦୧୧ ନଭେମ୍ବର ଠାରୁ ରାଜ୍ୟରାଣୀ ଏକ୍ସପ୍ରେସ ସପ୍ତାହକୁ ୩ ଦିନ ଝାରସୁଗୁଡା ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିଲା। ୨୦୧୨ ଜୁଲାଇରୁ ରାଉରକେଲାକୁ ସମ୍ପ୍ରସାରିତ ହୋଇଥିଲା । ଏହି ଟ୍ରେନକୁ ପୁନର୍ବାର ୨୦୧୭ ମାର୍ଚ୍ଚଠାରୁ ଗୁଣୁପୁରକୁ ସମ୍ପ୍ରସାରଣ କରାଯିବା ଦ୍ୱରା ଏହା ରାଉରକେଲା, ଭୁବନେଶ୍ୱର ସହିତ ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସହରକୁ ସିଧାସଳଖ ଭାବେ ଟ୍ରେନ ଦ୍ୱାରା ସଂଯୋଗ କରାଯାଇଥିଲା। ଯାତ୍ରୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ୨୦୧୯ ମାର୍ଚ୍ଚଠାରୁ ଏହି ଟ୍ରେନକୁ ସପ୍ତାହରେ ୩ ଦିନ ପରିବର୍ତ୍ତେ ୬ ଦିନ ଚଳାଚଳ କରାଯାଇଥିଲା। ତେବେ ବର୍ତ୍ତମାନ ଏହି ଟ୍ରେନ ସେବାକୁ ସପ୍ତାହରେ ସବୁଦିନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଟ୍ରେନ ରାଉରକେଲାରୁ ରାତି ୯ଟା ୨୦ରେ ଛାଡ଼ି ତା’ପରଦିନ ଅପରାହ୍ନ ଗୋଟାଏ ୩୫ରେ ଗୁଣୁପୁରଠାରେ ପହଞ୍ଚୁଥିବାବେଳେ ଫେରିବା ପଥରେ ଏହା ଗୁଣୁପୁରଠାରୁ ଅପରାହ୍ନ ୩ଟା ୧୫ରେ ଛାଡ଼ି ତା’ପରଦିନ ସକାଳ ୮ରେ ରାଉରକେଲାଠାରେ ପହଞ୍ଚୁଛି ।