ଉତ୍ତରପ୍ରଦେଶ : ଅଳ୍ପକେ ଟଳିଗଲା ବଡ଼ ରେଳ ଦୁର୍ଘଟଣା । ହଠାତ୍ ଟ୍ରାକ୍ ଛାଡ଼ି ପ୍ଲାଟଫର୍ମ ଉପରେ ମାଡ଼ିଗଲା ଟ୍ରେନ୍ । ଉତ୍ତରପ୍ରଦେଶର ମଥୁରା ଜଙ୍କସନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶକୁରବସ୍ତିରୁ ଆସୁଥିବା ଏକ ଇଏମୟୁ ଟ୍ରେନ ମଥୁରା ଜଙ୍କସନରେ ଦୁର୍ଘଟଣାର ଶିକାର ହୋଇଥିଲା । ଟ୍ରେନ ହଠାତ୍ ଟ୍ରାକରୁ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା । ଦୁର୍ଘଟଣା ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ । କିନ୍ତୁ ପ୍ଲାଟଫର୍ମରେ ଥିବା ଯାତ୍ରୀମାନେ ଭୟରେ ଏଣେତେଣେ ଦୌଡ଼ିବା ଦେଖାଯାଇଥିଲା । ତେବେ ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଟ୍ରେନ କିଭଳି ହଠାତ୍ ପ୍ଲାଟଫର୍ମକୁ ଚଢିଆସିଲା, ତାହା ବିଷୟରେ ଯାଞ୍ଚ ଚାଲିଛି ।
ଖବର ମୁତାବକ, ଗତ ରାତି ୧୦.୪୯ ମିନିଟରେ ମଥୁରା ଜଙ୍କସନରେ ଇଏମୟୁ ଟ୍ରେନ ପହଞ୍ଚିଥିଲା । ଟ୍ରେନରେ ଥିବା ଯାତ୍ରୀ ସବୁ ପ୍ଲାଟଫର୍ମରେ ଓହ୍ଲାଇ ପଡିଥିଲେ । ଏହାପରେ ଟ୍ରେନ ଟ୍ରାକରୁ ହଠାତ୍ ପ୍ଲାଟଫର୍ମ ଉପରେ ଚଢିଯାଇଥିଲା । ଟ୍ରେନଟି ପ୍ଲାଟଫର୍ମ ଉପରେ ଚଢିଯିବାରୁ ଟ୍ରେନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି ।