‘ହୋ’ ଓ ‘କୋହ୍ଲ’ ଜାତିକୁ ଗୋଟିଏ ଜାତି ଭାବରେ ମାନ୍ୟତା ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଛି ଆଦିବାସୀ ସଙ୍ଗଠନ
ମୟୂରଭଞ୍ଜ ଜିଲ୍ଲାରେ ‘ହୋ’ ଜାତିର ଗୌରବମୟ ଇତିହାସ ରହିଅଛି l ସେମାନଙ୍କୁ ଓଡ଼ିଶାରେ ସରକାରୀ ସ୍ତରରେ ‘ହୋ’ ଓ ‘କୋହ୍ଲ’ ଜାତି ଭାବରେ ବିଭାଜନ କରାଯାଇଅଛି। ଏହି ବିଭାଜନକୁ ପ୍ରତ୍ୟାହାର କରି ‘ହୋ’ ଓ ‘କୋହ୍ଲ’ ଜାତିକୁ ଗୋଟିଏ ‘ହୋ’ ଜାତି ଭାବରେ ମାନ୍ୟତା ଦେବାକୁ ରାଇରଙ୍ଗପୁରଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏଙ୍କୁ ଆଦିବାସୀ ‘ହୋ’ ସମାଜ ମହାସଭା ସଙ୍ଗଠନ ତରଫରୁ ଅନୁରୋଧ କରାଯାଇଛି। ଏହା ସହିତ, ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ବାମନଘାଟୀ ଅଞ୍ଚଳରେ ହୋଇଥିବା ଆଦିବାସୀ ବିଦ୍ରୋହର ମହାନ୍ ବୀର ରଘୁବୀର କଣ୍ଡାକେଲ ଓ ମାଣ୍ଡୋ ସରଦାରଙ୍କୁ ଇତିହାସରେ ସ୍ଥାନ ଦେବା ସହିତ ଏବଂ ସେମାନଙ୍କର ପୈତୃକ ଗ୍ରାମ ବସନ୍ତପୁର ଓ ମାନବୀରକୁ ଐତିହ୍ୟ ଗ୍ରାମର ମାନ୍ୟତା ଦେବାକୁ ଦାବି କରାଯାଇଛି। ଏହା ବ୍ୟତୀତ ରାଇରଙ୍ଗପୁରର ପ୍ରଥମ ବିଧାୟକ ହାରଦେବ ସିଂ ତିରିଆଙ୍କ ପୈତୃକ ଗ୍ରାମ କୁସୁମୀ ବ୍ଲକର ବଡ଼ହାନାବେଡ଼ାକୁ ମଧ୍ୟ ଐତିହ୍ୟ ଗ୍ରାମର ମାନ୍ୟତା ଦେବାକୁ ଆଦିବାସୀ ‘ହୋ’ ସମାଜର ସଭାପତି ମନୋରଞ୍ଜନ ତିରିଆ ଏବଂ ଉପଦେଷ୍ଟା ବିର୍ସା କଣ୍ଡାଙ୍କେଲ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ଜଣା ପଡ଼ିଛି।