ଆଦିବାସୀ ମାନ୍ୟତା ଦାବିରେ ସରକାରଙ୍କ ଉଦେଶ୍ୟରେ ପଟାଙ୍ଗି ତହସିଲ କାର୍ଯ୍ୟାଳୟରେ ଗଣଧାରଣା

0

ସେମିଳିଗୁଡ଼ା /ଦଶରଥ ମାଛ: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ତହସିଲ ଅଫିସରେ ଆଜି ଦୀର୍ଘ ୫୦ ବର୍ଷ ଧରି ଆଦିବାସୀ ମାନ୍ୟତା ଦାବି କରି ଆସୁଥିଲେ ଏ ଯାଏଁ ଆଦିବାସୀ ମାନ୍ୟତା ମିଳିନାହିଁ ଦୋରା ଜାତିକୁ। ନିର୍ବାଚନ ସମୟରେ ଭୋଟ ପାଇଁ କେବଳ ମିଳୁଛି ପ୍ରତିଶୃତି। ଏପରିକି ବିଧାୟକ ପ୍ରାର୍ଥୀମାନେ ଦେଉଛନ୍ତି ଲିଖିତ ପ୍ରତିଶୃତି। ନିର୍ବାଚନରେ ବିଜୟ ହେବା ପରେ ଆଉ କାହାରି ମିଳୁନି ଦେଖା। ଏପରି ବାରମ୍ବାର ହେଉଥିବାରୁ ଏଥିରେ ଅତିଷ୍ଠ ହୋଇ ପୁଣି ଥରେ ବାଛି ନେଇଛନ୍ତି ଆନ୍ଦୋଳନର ପନ୍ଥା। ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଉପସ୍ଥାପନ କରାଯାଇଛି ଦାବି। କିନ୍ତୁ କିଛି ବି ଫଳ ପ୍ରଦ ହୋଇପାରି ନାହିଁ। ଆଦିବାସୀ ମାନ୍ୟତା ଦାବି ନେଇ କୋରାପୁଟ ଜିଲ୍ଲା ଦୋରା ସମାଜ ପକ୍ଷରୁ ଗତ ୨୦୦୮ ମସିହାରୁ ଅନବରତ ଭାବରେ ଆଦିବାସୀ ମାନ୍ୟତା ପାଇଁ ଲଢେଇ ଜାରି ରହିଛି। ତେବେ ଗତ ୨୦୦୯ ମସିହାରେ ସାଧାରଣ ନିର୍ବାଚନ ଓ ଗତ ୨୦୧୨ ମସିହାରେ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ। ପରବର୍ତୀ ସମୟରେ ଗତ ୨୦୧୪ ମସିହାରେ ପୂର୍ବତନ ପଟାଙ୍ଗି ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି ଓ ୨୦୧୯ ରେ ବର୍ତମାନର ଶାସକ ଦଳ ର ପଟାଙ୍ଗି ବିଧାୟକ ପିତମ ପାଢ଼ୀ ଆଦିବାସୀ ମାନ୍ୟତା ପାଇଁ ଲିଖିତ ପ୍ରତିଶୃତି ଦେଇଥିଲେ। କିନ୍ତୁ ସବୁକିଛି ପାଣି ଫୋଟକା ଥିଲା। ଅନ୍ୟ ପକ୍ଷରେ କୋଟିଆ ଅଂଚଳରେ ରହୁଥିବା ମୁକା ଓ ନୁକା ଦୋରା ବର୍ଗର ଲୋକଙ୍କୁ ଆନ୍ଧ୍ର ପକ୍ଷରୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶା ତରଫରୁ କିନ୍ତୁ ଏହାର ବ୍ୟତିକ୍ରମ ଦେଖାଦେଇଛି। ଦୀର୍ଘ ବର୍ଷ ଧରି ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ଆଦିବାସୀ ମାନ୍ୟତା ମିଳି ନ ଥିବାରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଦୋରା ସମାଜ। ପଟାଙ୍ଗିରେ ଶୋଭାଯାତ୍ରା କରିବା ପରେ ତହସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି। ଦାବି ପୂରଣ ଯାଏ ଧାରଣାରେ ବସିବା ସହିତ ଆଗାମୀ ନିର୍ବାଚନରେ ପୁଣି ଥରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ଏହି ଦୋରା ସମ୍ପ୍ରଦାୟକୁ କେବେ ମାନ୍ୟତା ମିଳୁଛି ତାହା ଦେଖିବାକୁ ବାକି ରହିଲା