ମୟୂରଭଂଜ: ମୟୂରଭଂଜ ଜିଲ୍ଲାରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଆଦିବାସୀ ବିଶ୍ବବିଦ୍ୟାଳୟ । ଓଡ଼ିଶାରେ ଆଦିବାସୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିନିଧି ଦଳଙ୍କ ସହିତ ମୟୂରଭଞ୍ଜ ଜିଲାର ଚାରୋଟି ତହସିଲ ଅଞ୍ଚଳରେ ସର୍ଭେକ୍ଷଣ କରାଯାଇଛି। ଦେଶର ଏକମାତ୍ର ଟ୍ରାଇବାଲ ୟୁନିଭରସିଟିର ଶାଖା ମୟୂରଭଞ୍ଜ ଜିଲ୍ଲାରେ ଖୋଲାଯିବା ନେଇ ପ୍ରସ୍ତାବ ରହିଛି। ଏନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିଜେ ପ୍ରତିନିଧିଙ୍କ ସହିତ ପରିଦର୍ଶନ କରିଛନ୍ତି। ତେବେ ମଧ୍ୟପ୍ରଦେଶର ଅମରକଣ୍ଟକଠାରେ ଦେଶର ଏକମାତ୍ର ଟ୍ରାଇବାଲ ୟୁନିଭରସିଟି ‘ଇନ୍ଦିରା ଗାନ୍ଧି ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟି’ର ଶାଖା ମୟୂରଭଂଜରେ ଖୋଲା ଯିବ। ଏହି ବିଶ୍ବବିଦ୍ୟାଳୟର ଏକ ଶାଖା ମଣିପୁରରେ ଖୋଲିଥିବା ବେଳେ ଆଉ ଗୋଟିଏ ଶାଖା ଆସାମର କାଜିରଙ୍ଗା ଠାରେ ଖୋଲିବା ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ତେବେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟିର ଏକ ଶାଖା ମୟୂରଭଞ୍ଜ ଜିଲ୍ଲାରେ କରାଯିବାର ନିଷ୍ପତ୍ତି ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଓଡ଼ିଶାର ସର୍ବାଧିକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଉଛି ମୟୂରଭଞ୍ଜ। ଏଠାରେ ସାନ୍ତାଳୀ ସମେତ ବିଭିନ୍ନ ଆଦିବାସୀ ଭାଷାଭାଷୀ ଲୋକେ ବାସବାସ କରନ୍ତି। ଉକ୍ତ ବିଶ୍ୱବିଦ୍ୟାଳୟରେ ବୈଷୟିକ, ଧନ୍ଦାମୂଳକ, ପର୍ୟ୍ୟଟନ, ମତ୍ସ୍ୟଚାଷ, ଜଙ୍ଗଲ ସର୍ବେକ୍ଷଣ, କମ୍ପ୍ୟୁଟର ଭଳି ବିଭିନ୍ନ ବିଷୟରେ ପାଠ ପଢ଼ାଯିବ ବୋଲି ସୂଚନା ମିଳିଛି।