ଭକ୍ତଙ୍କ ଗହଣରେ ଚତୁର୍ଦ୍ଧା ମୂର୍ତ୍ତି

0

( ରିିପୋର୍ଟସ ଟୁଡ଼େ / ସରୋଜ ରାଉତ ) : ଆଜି ହେଉଛି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ,ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ତାଙ୍କ ମାଉସୀ ଘରକୁ ଯିବେ। ଏଥିପାଇଁ ସିଂହଦ୍ୱାର ଆଗରେ ସୁସଜ୍ଜିତ ହୋଇ ରହିଛି ତିନି ରଥ। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ରଥ ଦଉଡିକୁ ଟାଣିବାକୁ ଭକ୍ତଙ୍କ ଆବେଗ କହିଲେ ନସରେ । ଭଜନ ଓ କୀର୍ତ୍ତନରେ କମ୍ପୁଛି ବଡ଼ଦାଣ୍ଡ। ବଡ଼ଦାଣ୍ଡରେ ଆଜି ହେବ ଭକ୍ତ ଓ ଭଗବାନଙ୍କ ମିଳନ । ଭକ୍ତ ନିଜର ଭାବନକୁ ଭଗବାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଇ ନିଜକୁ ଭିନ୍ନ ଭିନ୍ନ ରୁପରେ ସଜେଇ ଭକ୍ତି ରୁପକ ଅର୍ଘ୍ୟ ଅର୍ପଣ କରିଛି ।

ପ୍ରଥମେ ସକାଳୁ ରତ୍ନସିଂହାସନରେ ସମସ୍ତ ନୀତିକାନ୍ତି କରାଯାଇ ଶ୍ରୀଜିଉଙ୍କୁ ଧାଡ଼ି ପହଣ୍ଡି କରି ରଥରେ ବିରାଜମାନ କରାଯାଇଥିଲା । ରଥାରୁଢ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଧି ଅନୁସାରେ ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ଏହାପରେ ଗଜପତି ମହାରାଜା ଛେରା ପହଁରା କାର୍ଯ୍ୟକରିଥିଲେ । ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥ ଛେରା ପହଁରା , ଏହାପରେ ମହାପ୍ରଭୁ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ରଥ ଛେରା ପହଁରା କରିଥିଲେ । ସେବାୟତଙ୍କ ଗହଣରେ ରଥରେ ଛେରା ପହଁରା କାର୍ଯ୍ୟ କରିଥିଲେ ଗଜପତି । ସୁବାସିତ ଜଳ ସାଙ୍ଗକୁ ଫୁଲ ପକାଇ ସୁନା ଖଡ଼ିକାରେ ରଥ ଛେରା ପହଁରା କରିଥିଲେ ଗଜପତି ମହାରାଜ । ଲକ୍ଷ ଲକ୍ଷ ଭକ୍ତ ଏହି ଦୃଶ୍ୟ ଦେଖିବା ପାଇଁ ଚାହିଁ ବସିଥିଲେ । ଶେଷରେ ଅପେକ୍ଷାର ଅନ୍ତ ଘଟିଥିଲା । ୨;୧୫ରେ ପନ୍ଦରରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଭକ୍ତମାନେ ରଥ ଦଉଡ଼ି ସାହାର୍ଯ୍ୟରେ ରଥ ଟାଣିଥିଲେ । ପ୍ରଥମେ ବଳଭଦ୍ରଙ୍କ ରଥ ଟଣାଯାଇଥିଲା ତା ପରେ ଦେବୀ ସୁଭଦ୍ରା ଏବଂ ପରେ ଜଗନ୍ନାଥଙ୍କ ରଥ ଟଣାଯାଇଥିଲା ।