ବିଦେଶୀ ନାଗରିକଙ୍କ ପାଇଁ ଟ୍ରମ୍ପ ସରକାରଙ୍କ ନୂତନ ନିୟମ

0

ଆମେରିକା-: ଟ୍ରମ୍ପ ସରକାର ଆମେରିକାରେ ବିଦେଶୀ ନାଗରିକଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ୩୦ ଦିନରୁ ଅଧିକ ସମୟ ପାଇଁ ଆମେରିକାରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ନିଜକୁ ପଞ୍ଜୀକରଣ କରିବାକୁ ପଡିବ। ଯଦି ସେମାନେ ଏହା କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଜରିମାନା ହୋଇପାରେ କିମ୍ବା ଜେଲ ମଧ୍ୟ ଯିବାକୁ ପଡ଼ିପାରେ। ଏହା ସହିତ, ସେମାନଙ୍କୁ ଦେଶରୁ ନିର୍ବାସିତ ମଧ୍ୟ କରାଯାଇପାରିବ।

 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌  ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ରେସିପ୍ରୋକାଲ ଟାରିଫ୍‌ ଲାଗୁ କରିବା ସହ ଆପ୍ରବାସନ ନୀତିକୁ ମଧ୍ୟ କଠୋର କରିଛନ୍ତି। ଏହା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ଡିଏଚ୍‌ଏସ୍‌ ପକ୍ଷରୁ ଶନିବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ପୋଷ୍ଟ କରାଯାଇଥିବା ଏକ ନିର୍ଦ୍ଦେଶନାମା ବେଆଇନ ଆପ୍ରବାସୀଙ୍କ ମଧ୍ୟରେ ହଡ଼କମ୍ପ ସୃଷ୍ଟି କରିଛି। ଡିଏଚ୍‌ଏସ୍‌ ଅନୁଯାୟୀ, ଆମେରିକାରେ ବିନା ପଞ୍ଜୀକରଣରେ ୩୦ ଦିନରୁ ଅଧିକ ସମୟ ରହିବା ଏକ ଅପରାଧ। ଯଦି କୌଣସି ବିଦେଶୀ ନାଗରିକ ବିନା ପଞ୍ଜୀକରଣରେ ରହୁଥିବେ ତାଙ୍କୁ ତୁରନ୍ତ ଦେଶ ଛାଡ଼ି ଚାଲିଯିବାକୁ କୁହାଯାଇଛି। ବେଆଇନ ଆପ୍ରବାସୀ ଆମେରିକାରୁ ନ ଗଲେ ସେମାନେ  ଜେଲଦଣ୍ଡ ସହ ଜରିମାନା ମଧ୍ୟ ଦେବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଏହି ପଦକ୍ଷେପ ଯୋଗୁ ଏଚ୍‌-ଆଇବି କିମ୍ବା ଷ୍ଟୁଡେଣ୍ଟ ଭିଜା ଭଳି ଆଇନଗତ ଭିଜା ଧାରକଙ୍କ ପରମିଟ୍‌ ଉପରେ ତତ୍କାଳ କୌଣସି ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଏହାଦ୍ୱାରା ଆପ୍ରବାସନ ପ୍ରବର୍ତ୍ତନ ନୀତି ଆହୁରି କଠୋର ହୋଇଛି। ତେବେ ଯେଉଁ ଏଚ୍‌-୧ବି ଭିଜା ଧାରକ ଚାକିରି ହରାଇ ଗ୍ରେସ୍‌ ଅବଧି ପରେ ମଧ୍ୟ ଆମେରିକାରେ ରହୁଛନ୍ତି, ସେମାନେ ପ୍ରଭାବିତ ହେବେ। ଯେଉଁମାନେ ଦେଶ ଛାଡ଼ି ନ ଯିବେ, ସେମାନଙ୍କୁ ଦିନକୁ ୯୯୮ ଡଲାର ଜରିମାନା ଦେବାକୁ ପଡ଼ିବ। ଏପରି କି ଭବିଷ୍ୟତରେ ଆମେରିକାକୁ ପ୍ରବେଶ ପାଇଁ ଅନୁମତି ମଧ୍ୟ ମିଳିବ ନାହିଁ। ସେମାନଙ୍କ ପ୍ରବାସନ ଉପରେ ଆଜୀବନ ରୋକ ଲଗାଯିବ।