ଚୀନ ପ୍ରତି ବନ୍ଧୁତା, ଭାରତ ସହ ବିଶ୍ୱାସଘାତକତା କଲେ ଟ୍ରମ୍ପ!

0

ଆମେରିକାର ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ଘୋଷଣା କରିଥିଲେ ଯାହା ଭାରତର ଚିନ୍ତା ବଢାଇ ଦେଇଥିଲା। ଅନ୍ୟପକ୍ଷରେ ଚୀନ୍ ପ୍ରତି ତାଙ୍କର ମନୋଭାବ ଅତ୍ୟନ୍ତ ନରମ ମନେହୁଏ। ଗୁରୁବାର ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ସେ ଚୀନ୍ ଉପରେ ଶୁଳ୍କ ଲାଗୁ କରିବାକୁ ସେ ଇଚ୍ଛୁକ ନୁହଁନ୍ତି। ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଚୀନ୍ ପାଇଁ ଆମର ସବୁଠାରୁ ବଡ ଶକ୍ତି ହେଉଛି ଶୁଳ୍କ, ଚୀନ୍ ଏହା ଚାହାଁନ୍ତି ନାହିଁ ଏବଂ ମୁଁ ମଧ୍ୟ ଏହାକୁ ବ୍ୟବହାର କରିବାକୁ ଚାହେଁ ନାହିଁ, ‘ ଡୋନାଲ୍ଡ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ସେ ତାଙ୍କର ଭଲ ବନ୍ଧୁ ଏବଂ ତାଙ୍କ ସହ ସାମ୍ପ୍ରତିକ ବାର୍ତ୍ତାଳାପ ମଧ୍ୟ ଭଲ ଥିଲା।

ଏହାପୂର୍ବରୁ, ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପ ଚୀନ୍ ଉପରେ ୬୦ ପ୍ରତିଶତ ପର୍ୟ୍ୟନ୍ତ ଭାରୀ ଟିକସ ଲାଗୁ କରିବା ବିଷୟରେ କହିଥିଲେ ଏବଂ ରାଷ୍ଟ୍ରପତି ହେବାର ଦ୍ୱିତୀୟ ଦିନରେ ସେ ଚୀନ୍ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ବୋଲି କହିଥିଲେ। ସେପଟେ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବା ମାତ୍ରେ ଚେତାବନୀ ଦେଇଥିଲେ ଯେ ଭାରତ ସମେତ ସମସ୍ତ ବ୍ରିକ୍ସ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ସେ ୧୦୦% ଶୁଳ୍କ ଲାଗୁ କରିବେ।

ଯଦିଓ ସେ କହିଛନ୍ତି ଯେ ସେ ଚୀନ୍ ଉପରେ ଶୁଳ୍କ ଲାଗୁ କରିବେ ନାହିଁ, ତଥାପି ବ୍ରିକ୍ସ ଦେଶମାନଙ୍କ ପ୍ରତି ସେପରି କୈାଣସି ବିବୃତ୍ତି ଆସିନାହିଁ। ଏଥିସହିତ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଛନ୍ତି। ଯେଉଁଥିରେ ଭାରତୀୟ ମଧ୍ୟ ଅଛନ୍ତି। ଜନ୍ମ ଆଧାରରେ ନାଗରିକତ୍ୱ ପ୍ରଦାନ କରିବାର ଅଧିକାରକୁ ଟ୍ରମ୍ପ ନିଷିଦ୍ଧ କରିଥିଲେ। ତେବେ ଏହାକୁ ଅସାମ୍ବିଧାନିକ ବୋଲି କହି ଜଣେ ଫେଡେରାଲ୍ ଜଜ୍ ଏହାକୁ ସାମୟିକ ଭାବେ ବନ୍ଦ କରି ଦେଇଛନ୍ତି। ବେଆଇନ ପ୍ରବେଶକୁ ରୋକିବା ପାଇଁ ଟ୍ରମ୍ପ ଆମେରିକା-ମେକ୍ସିକୋ ସୀମାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବେ ଏବଂ ବେଆଇନ ପ୍ରବାସୀମାନଙ୍କୁ ପଠାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିବେ।