ଟେଲିଭିଜନ୍ ପିଲାଙ୍କ ଚିତ୍ତ ବିନୋଦନର ଏକ ସହଜ ମାଧ୍ୟମ । ଲକ୍ଡାଉନ୍ ସମୟରେ ଲୋକେ ଗୃହବନ୍ଦୀ ହେବା ପରେ ଟିଭି, ଫୋନ୍, ଲ୍ୟାପ୍ଟପ୍ରେ ସର୍ବାଧିକ ସମୟ ବିତାଇଛନ୍ତି । ଅଭିଭାବକମାନେ ପିଲାଙ୍କୁ ଫୋନ୍ଠୁ ଦୂରରେ ରହିବାକୁ ଆକଟ କଲେ ବି ସେମାନଙ୍କ ଉପରେ ଏହାର ଖାସ୍ ପ୍ରଭାବ ପଡୁନାହିଁ । ପିଲା ଯଦି ଫୋନ୍ ବ୍ୟବହାର କରୁନାହିଁ, ଟିଭି ଦେଖୁଥିବା ପିଲାର ସୃଜନଶୀଳତା ଉପରେ କୁପ୍ରଭାବ ପଡ଼ିପାରେ ।
ବହି ପଢୁଥିବା କିମ୍ବା ବୁଦ୍ଧି ଖର୍ଚ୍ଚ କରି ଗୋଲକ ଧନ୍ଦା ସମାଧାନ କରୁଥିବା ପିଲାଙ୍କ ତୁଳନାରେ ଟିଭି ଦେଖୁଥିବା ପିଲାଙ୍କ ସୃଜନଶୀଳତା ହ୍ରାସ ଆଶଙ୍କା ବେଶି ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି । ବ୍ରିଟେନ୍ର ଷ୍ଟାଫୋର୍ଡଶାୟାର ୟୁନିଭର୍ସିଟି ପକ୍ଷରୁ ଅଧ୍ୟୟନ କରାଯାଇଛି । ପିଲାର ବୌଦ୍ଧିକ ବିକାଶ, ମୌଳିକ ବିଚାର ଶକ୍ତିରେ ଏହା ବାଧକ ହୋଇପାରେ ବୋଲି ଉକ୍ତ ୟୁନିଭର୍ସିଟିର ପ୍ରାଧ୍ୟାପକ ସାରା ରୋଜ୍ କହିଛନ୍ତି ।