ନୂଆଦିଲ୍ଲୀ : ଟ୍ୱିଟରରେ ବ୍ଲୁ-ଟିକକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଟ୍ୱିଟରରେ ନିଜ ଆକାଉଣ୍ଟର ଡିପି ପରିବର୍ତ୍ତନ କଲେ ଆପେ ଆପେ କଟିଯାଉଛି ବ୍ଲୁଟିକ୍ । ଅଗଷ୍ଟ ୧୩ ତାରିଖ ଅର୍ଥାତ ରବିବାରଠାରୁ ଟ୍ୱିଟରରେ ଏଭଳି କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି ।
ଆସନ୍ତା କାଲି ସ୍ୱାଧିନତା ଦିବସ । ଏଣୁ ହର ଘର ତ୍ରିରଙ୍ଗା ଅଭିଯାନରେ ଦେଶ ବାସୀଙ୍କୁ ସୋସିଆଲ ମିଡିଆ ପ୍ରୋଫାଇଲ ପିକ୍ଚରରେ ତ୍ରିରଙ୍ଗା ଫଟୋ ଲଗାଇବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଣୁ ନିଜ ଡିପି ବଦଳାଇବା ପରେ ଦେଶର ନାମୀଦାମୀ ବ୍ୟକ୍ତିତ୍ୱଙ୍କ ଟ୍ୱିଟର ଆକାଉଣ୍ଟରୁ ଏବେ ବ୍ଲୁଟିକ୍ ଉଡିଯାଇଛି । ନେତାଙ୍କ ଠୁ ଆରମ୍ଭ କରି ସେଲିବ୍ରେଟି ହର୍ ଘର ତ୍ରିରଙ୍ଗା ଅଭିଯାନରେ ଡିପି ବଦାଳାଇବାପରେ ଅଧିକାଂଶଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ଗାୟବ ହୋଇଯାଉଛି । ଏମିତିକି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ବ୍ଲୁ-ଟିକ୍ ଉଡିଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟର, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟିଯାଇଛି ।
ଖାଲି ସେତିକି ନୁହେଁ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଅର୍ଥାତ ବିସିସିଆଇର ଆକାଉଣ୍ଟରୁ ମଧ୍ୟ ବ୍ଲୁ-ଟିକ୍ ହଟେଇ ନେଇଛି ଟ୍ୱିଟର । ବିିସିସିଆଇ ନିଜ ଡିପି ପରିବର୍ତ୍ତନ କରିବା ପରେ ବ୍ଲୁ-ଟିକକୁ ହଟାଇ ଦିଆଯାଇଛି । ତେବେ ଟ୍ୱିଟର ଏକ୍ସର ନିୟମ ମୁତାବକ, ୟୁଜର୍ସମାନେ ପ୍ରୋଫାଇଲ୍ ପରିବର୍ତ୍ତନ କଲେ ସେମାନଙ୍କ ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟିବାର ନିୟମ ରହିଛି ବୋଲି କୁହାଯାଉଛି । ତେବେ କମ୍ପାନୀ ଖୁବଶୀଘ୍ର ସେମାନଙ୍କ ବ୍ଲୁ-ଟିକକୁ ଫେରାଇଦେବ ବୋଲି ସୂଚନା ମିଳିଛି ।