ଛତିଶଗଡ-: ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଦୁଇ ମାଓବାଦୀ । ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି । ମୃତକଙ୍କ ନାଁ ମୁଚାକି ବାମନ ଓ ଅନିତା ଆଭାଲମ୍ ବୋଲି ଜଣାପଡିଛି । ମୁଚାକି ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ସେ ବାମନ ଦାନ୍ତେୱାଡା ଜିଲ୍ଲାର କାଟେକଲ୍ୟାଣ ପୋଲିସ ସୀମା ଅନ୍ତର୍ଗତ ଚିକପାଲର ବାସିନ୍ଦା ଥିଲା ।
ସୂଚନା ମୁତାବକ, ସୁକମା ଜଙ୍ଗଲରେ କିଛି ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ କୁକନାର ପୋଲିସ ଓ ସୁକୁମା ଜିଲ୍ଲା ରିଜର୍ଭ ଗାର୍ଡଙ୍କ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ଡିଆରଜି ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳିବିନିମୟ ପରେ ଘଟଣାସ୍ଥଳରୁ ଜଣେ ମହିଳା କ୍ୟାଡରଙ୍କ ସମେତ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ତଦନ୍ତ ପରେ ଜଣେ ପେଡାରସର ଲୋକାଲ ଅର୍ଗାନାଇଜେସନ ସ୍କ୍ୱାର୍ଡ କମାଣ୍ଡର ବମନ ବୋଲି ଜଣା ପଡିଥିଲା । ତା’ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ତେବେ ଉଦ୍ଧାର ମହିଳା ମାଓବାଦୀଙ୍କ ପରିଚୟ ଅସ୍ପଷ୍ଟ ରହିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ INSAS ରାଇଫଲ ସହ ଆଉ ଏକ ରାଇଫଲ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।