(ଦୀପକ ମିଶ୍ର / ଉଦଳା): ଗୁଣିଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯିବା ଘଟଣାର ପର୍ଦ୍ଦାଫାଶ ହୋଇଛି । ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖ ସନ୍ଧ୍ୟା ସମୟରେ ଶରତ ଥାନା ଶାରୀଶୁଆ ଗ୍ରାମରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଗ୍ରାମର କାଳିଆ ମହାନ୍ତ ଦୀର୍ଘ ବର୍ଷ ଧରି ବିବାହ କରିଥିଲେ ସୁଦ୍ଧା ତାଙ୍କର ସନ୍ତାନ ହେଉ ନ ଥିବାରୁ ସେ ଗ୍ରାମର ମହିଳା ଖଇରୀ ମହାନ୍ତ ଗୁଣିଗାରେଡି କରୁଥିବା ସନ୍ଦେହ କରିଥିଲେ । ଖଇରୀ ଗୁଣିଗାରେଡି କରିବା ଫଳରେ ତାଙ୍କର ସନ୍ତାନ ପ୍ରାପ୍ତି ହେଉ ନ ଥିବା ସେ ସନ୍ଦେହ କରି ଗତ ୨୯ ତାରିଖ ସନ୍ଧ୍ୟା ସମୟରେ ଖଇରୀ ପାଣି ଆଣିବା ନିମନ୍ତେ ଗ୍ରାମର ନଳକୂପ ନିକଟକୁ ଯାଉଥିବା ବେଳେ ତାଙ୍କୁ ବିଭତ୍ସ ଭାବେ ଗଳାକାଟି ହତ୍ୟା କରିଥିଲେ । କାଳିଆ ମହାନ୍ତ ଏବଂ ତାଙ୍କ ଭାଇ ବଳିଆ ମହାନ୍ତ ଏକ କଟୁରୀରେ ଖଇରୀଙ୍କ ଗଳାକାଟି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ । ଶେଷରେ ଗତକାଲି ରାତି ତମାମ ବିଭିନ୍ନ ସ୍ଥାନରେ ଚଢାଉ କରିବାପରେ ଆଜି ଭୋର ସମୟରେ ଦୁଇ ଅଭିଯୁକ୍ତଙ୍କୁ ଶାରୀଶୁଆ ଜଙ୍ଗଲରୁ ଗିରଫ କରିଛି ଶରତ ପୋଲିସ । ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ମଧ୍ୟ ପୋଲିସ ଜବତ କରିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ବୋଲି ଶରତ ଥାନାଧୀକାରିଣୀ ରୀନା ବକ୍ସଲ। ସୂଚନା ଦେଇଛନ୍ତି ।