ରେନେସା କଲେଜ ଯୁକ୍ତ ଦୁଇ ଛାତ୍ର ଆତ୍ମହତ୍ୟା: ନ୍ୟାୟ ଦାବିରେ କଲେଜ ସମ୍ମୁଖରେ ଧାରଣା

0

ବଡ଼ଚଣା / ବେଦପ୍ରକାଶ ନାୟକ :  ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ସ୍ଥିତ ରେନେସା ଘରୋଇ କଲେଜରେ  ପାଠ ପଢୁଥିବା ଜଣେ ଛାତ୍ର ଗତ ୫ତାରିଖ ଦିନ ତାଙ୍କ ଘରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ  ଆତ୍ମହତ୍ୟା ପାଇଁ କଲେଜ କର୍ତ୍ତୃପକ୍ଷ ଙ୍କୁ ଦାୟୀ କରି ନ୍ୟାୟ ଦାବିରେ  ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ କଲେଜ ସମ୍ମୁଖରେ ଗତକାଲି ଧାରଣାରେ ବସି ରହିଥିଲେ ।

ସୂଚନା ମୁତାବକ କୁଆଖିଆ ଥାନା ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ ଅଣ୍ଡେଇଗୋଡା ଗ୍ରାମର ବାଙ୍କ ବିହାରୀ ପଣ୍ଡା ଙ୍କ ପୁତ୍ର ଆଶିଷ ପଣ୍ଡା କୁମାରୀ ସ୍ଥିତ ରେନେସା କଲେଜ ର ଜଣେ +୨ ଛାତ୍ର ।ତେବେ ଗତ ୪ତାରିଖ ଦିନ  ଆଶିଷ ଙ୍କୁ କଲେଜ ର ଜଣେ ଶିକ୍ଷକ ତାଙ୍କୁ ଗୋଡି ଦେଇ ଆଣ୍ଠେଇବା ସହ ଅନେକ ଛାତ୍ର ଛାତ୍ରୀ ଙ୍କ ଆଗରେ ନିର୍ଯ୍ୟାତନା ଦେଇଥିଲେ। ସେ ପଢ଼ୁଥିବା ଘରୋଇ କଲେଜ କର୍ତ୍ତୃପକ୍ଷ ଙ୍କ ନିର୍ଯ୍ୟାତନା କାରଣରୁ ସେ ବିଷ ପିଇ ଆତ୍ମହତ୍ୟା କରିଥିବାର ଛାତ୍ରଙ୍କ ବାପା ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି। ଆଶିଷ  ଜାରକା ସ୍ଥିତ ରେନେସା ନାମକ ଏକ ଘରୋଇ କଲେଜରେ +୨ ବିଜ୍ଞାନର  ଦ୍ଵିତୀୟ ବର୍ଷ ଛାତ୍ର ଥିଲେ । ସେ ହଷ୍ଟେଲରେ ରହି ପଢ଼ୁ ଥିଲେ। ସେ ଏକ ମୋବାଇଲ ଲୁଚାଇ ରଖୁଥିବା ନେଇ କଲେଜ ପକ୍ଷରୁ ପରିବାର ଲୋକଙ୍କୁ ଜଣା ଯିବାରୁ ପରିବାର ଲୋକେ ଦୁଇ ଦିନ ତଳେ ତାଙ୍କୁ ଘରକୁ ନେଇ ଆସିଥିଲେ। ଗତ ସୋମବାର ଦିନ ରାତିରେ ଖାଇପିଇ ଶୋଇଥିଲେ l ପରେ ବିଷ ପିଇ ଦେଇଥିବା ଘର ଲୋକ ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ।ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ରୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦେଇଥିଲେ। ସେଠାରେ ଚିକିତ୍ସିତ ହେଉଥିବା ସମୟରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା l  ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ  କଲେଜରେ ସେ  ଟଙ୍କା ଓ ମୋବାଇଲ ଚୋରି କରିଥିବା ଅଭିଯୋଗ କରି ତାଙ୍କୁ ସମସ୍ତଙ୍କ ସାମ୍ନାରେ ଆଣ୍ଠେଇ ଦିଆଯାଇବା ସହ ମାଡ଼ ମରାଯାଇଥିଲା l ବିଭିନ୍ନ କଟୁ କଥା କହି ତାଙ୍କୁ ଭର୍ସନା କରାଯାଇଥିଲା l ପରେ କଲେଜରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା l ଯାହା ଦ୍ୱାରା ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ l ସେ ଜଣେ ଭଲ ଛାତ୍ର ଥିଲେ l ଏଭଳି ଅପମାନକୁ ସହ୍ୟ କରିନପାରି ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ନେଇ ତାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗକୁ ଭିତ୍ତିକରି ପୁଲିସ କେସ ନଂ ୬୧୪/୨୪ ମାମଲା ରୁଜୁ କରି ତଦନ୍ତ ଚଳାଇଛି l କଲେଜର ସମ୍ପାଦକ ବିଭୁତି ରାଉତଙ୍କୁ ପଚାରିବାରୁ ସେ ପିଲା ଚଗଲା ହେଇଥିବାରୁ ତାକୁ ତାଗିଦ କରିବା ପାଇଁ  ଆଣ୍ଠେଇ ଦେଇଥିବା କଥାକୁ ସ୍ୱୀକାର କରିଛନ୍ତି l ତେବେ ବୁଧବାର ଦିନ ପରିବାର ଲୋକେ କଲେଜ ସମ୍ମୁଖରେ ଧାରଣାରେ ବସିବା ସହିତ ଡାଇରେକ୍ଟର ବିଭୂତି ଭୂଷଣ ରାଉତ ଓ ମ୍ୟାନେଜର ଚିନ୍ମୟଙ୍କୁ ଗିରଫ କରିବା ସହିତ କଲେଜ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ଘଟଣା ସ୍ଥଳରେ ଧର୍ମଶାଳା ଥାନା ଅଧିକାରୀ ତପନ କୁମାର ନାୟକ ଓ କୁଅଖିଆ ଥାନା ଅଧିକାରୀ ଏବଂ ଯାଜପୁର ଏସ୍ଡିପିଓ  ପହଞ୍ଚିବା ସହ ଧାରଣା ଦେଇଥିବା ଲୋକ ଙ୍କୁ ବୁଝା ସୁଝା କରି ଆସନ୍ତା ସାତ ଦିନ ମଧ୍ୟରେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।ତେବେ ପୂର୍ବରୁ ଜିଲ୍ଲାରେ ଅନେକ ବାର ଘରୋଇ କେଲେଜ ର ଏପରି ନିର୍ଯ୍ୟାତନା ସହି ନପାରି ଅନେକ ଛାତ୍ର/ଛାତ୍ରୀ ଆତ୍ମହତ୍ୟା କରିଛନ୍ତି।ଅନେକ ସମୟରେ ତଦନ୍ତ ମଧ୍ୟ ଠିକ ସେ ହୋଇ ନାହିଁ।ତେବେ ଘରୋଇ କଲେଜ ର ଏପରି ମନମାନି ଯୋଗୁଁ ଉଜୁଡି ଯାଉଛି ପିଲାଙ୍କ ଜୀବନ ।ଏହା ଉପରେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଏଭଳି କଲେଜ ଗୁଡିକ ଉପରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେବାକୁ ଅନେକ ବୁଦ୍ଧି ଜୀବିରେ ମତ ପ୍ରକାଶ ପାଇଛି।