ପାଟନା: ବିହାରର ରାଜଧାନୀ ପାଟନାରୁ ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ପୁଲିସ ପକ୍ଷରୁ ଏକ ସନ୍ଦିଗ୍ଧ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ ହୋଇଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପୂର୍ବତନ ପୋଲିସ କର୍ମଚାରୀ ଥିବା ଜଣାପଡିଛି। ସେମାନେ ଅଥାର ପରଭେଜ ଓ ଏମଡି ଜଲାଲଉଦ୍ଦିନ। ଜଲାଲଉଦ୍ଦିନ ଝାଡଖଣ୍ଡର ପୂର୍ବତନ ପୁଲିସ ଅଧିକାରୀ ଥିବା ଜଣାପଡିଛି। ଜଲାଲଉଦ୍ଦିନ ପୂର୍ବରୁ ସିମି ସହ ଜଡିତ ଥିବା ଏଏସପି ମନୀଷ କୁମାର କହିଛନ୍ତି। ତେବେ ଜୁଲାଇ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ଟାର୍ଗେଟ କରିବା ଲାଗି ଯୋଜନା କରିଥିଲେ। ତେବେ ମୋଦିଙ୍କ ଗସ୍ତର ୧୫ ଦିନ ପୂର୍ବରୁ ଫୁଲୱାରି ସରିଫରେ ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଇଥିଲା। ଏଥିପାଇଁ ଆତଙ୍କବାଦୀମାନେ ଜୁଲାଇ ୬ ଏବଂ ୭ ତାରିଖରେ ବୈଠକ କରିଥିଲେ। ଆତଙ୍କବାଦୀଙ୍କ ଫୁଲୱାରୀ ସରିଫ ଅଫିସରେ ପୁଲିସ ଚଢାଉ କରିଥିଲା।
ସେଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପାଇଥିବା ଜଣାପଡିଛି। ଗୋଟିଏ ନଥିରେ ୨୦୪୭ ଇଣ୍ଡିଆ ଟୋୱାର୍ଡସ ରୁଲ ଅଫ ଇସଲାମିକ ଇଣ୍ଡିଆ ଲେଖାଥିଲା। ଏହି ମୋଡ୍ୟୁଲ ୨୦୪୭ ସୁଦ୍ଧା ଭାରତକୁ ଇସଲାମିକ ରାଷ୍ଟ୍ରରେ ପରିଣତ କରିବାର ଯୋଜନା କରୁଥିଲା ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କ ନିକଟରୁ ୨୫ଟି ପିଏଫଆଇ ପ୍ରଚାରପତ୍ର ମଧ୍ୟ ମିଳିଛି। ପାଟନା ଫୁଲୱାରୀ ସରିଫ ଅଞ୍ଚଳରେ ଏକ ଆତଙ୍କବାଦୀ ସଂଗଠନ କାର୍ଯ୍ୟକରୁଛି ବୋଲି ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ପୁଲିସ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜୁଲାଇ ୧୧ରେ ନାୟା ଟୋଲା ଅଞ୍ଚଳରେ ଚଢାଉ କରିଥିଲେ ଏବଂ ୨ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ। ଏହି ସ୍ଥାନକୁ କେରଳ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ତାମିଲନାଡୁ ଏବଂ ଅନ୍ୟ ରାଜ୍ୟମାନଙ୍କରୁ ଯୁବକମାନେ ଆସୁଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ତାଲିମ ନେଉଥିଲେ। ପାକିସ୍ତାନ, ବାଂଲାଦେଶ, ତୁର୍କୀ ସମେତ ଅନ୍ୟ ଇସଲାମିକ ରାଷ୍ଟ୍ରରୁ ପାଣ୍ଠି ପାଉଥିଲେ। ତେବେ ସମ୍ପୃକ୍ତ ଘଟଣାରେ ଏନଆଇଏ ତଦନ୍ତ ଆରମ୍ଭ କରିଛି।
ଆତଙ୍କବାଦୀ ସଂଗଠନ ପିଏଫଆଇକୁ ଆରଏସଏସ ସହ ତୁଳନା କରି ପାଟନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ବିବାଦରେ ଫସିଛନ୍ତି। ପାଟନା ଏସଏସପି ମାନବଜିତ ସିଂହ ଧିଲନଙ୍କ ଟିପ୍ପଣୀକୁ ନେଇ ବିହାର ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଆରଏସଏସ ଭଳି ପିଏଫଆଇ ଯୁବ ଗୋଷ୍ଠୀଙ୍କୁ ମାର୍ଶାଲ ଆର୍ଟ ଟ୍ରେନିଂ ଦେଉଥିବା ପୁଲିସ ଅଧିକାରୀ ଜଣଙ୍କ ବିବୃତ୍ତି ରଖିଥିଲେ। ଫଳରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ବିଜେପି ମଧ୍ୟ ସମ୍ପୃକ୍ତ ଘଟଣାରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ କଡା ସମାଲୋଚନା କରିଛି। ତାଙ୍କୁ ଏଏସପିଙ୍କୁ ବହିଷ୍କାର କରିବା ପାଇଁ ବିଜେପି ଦାବି କରିଛି।