ସୁନ୍ଦରଗଡ: ସୁନ୍ଦରଗଡରେ ଏବେ ଦେଖା ଦେଇଛି ଏକ ଲଜ୍ଜା ଜନକ ଘଟଣା । ଜନଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଚାଲିଚାଲି ଯାଉଥିଲେ ୨ ମହିଳା। କିନ୍ତୁ ଏହାରି ଉପରେ କାହାରି ପଡିଲାନି ନଜର । ସେହି ସମୟରେ ମାନବିକତା ଦେଖାଇଲେ ବିଜେପି ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ ସହର ଭିତରେ ଉଲଗ୍ନ ଅବସ୍ଥାରେ ଚାଲିଚାଲି ଆସୁଥିବା ଦୁଇ ଜଣ ମହିଳାଙ୍କୁ ଦେଲେ ଆସ୍ୱସ୍ଥି । ଇବ୍ ନଦୀର ବ୍ରିଜ ନିକଟରେ ଏମାନେ ବିନା କପଡାରେ ଯାଉଥିବା ଦେଖି ଅଟକି ଯାଇଥିଲେ କୁସୁମ ଟେଟେ । ନିଜ ଉତ୍ତରୀୟ କାଢ଼ି ଦୁଇ ମହିଳାଙ୍କୁ ଘୋଡାଇଥିଲେ । ଏହା ପରେ କର୍ମୀଙ୍କ ସହାୟତାରେ ସୁନ୍ଦରଗଡ ଆସ୍ଥା ଗୃହକୁ ପଠାଇ ଦେଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଏମାନେ ଏପରି ଅବସ୍ଥାରେ ଯାଉଥିଲେ, ତାହା ଜଣା ପଡିନାହିଁ । ଏପରିକି ନିଜ ବାବଦରେ ସେମାନେ ଠିକରେ କିଛି କହିପାରୁ ନଥିବା ସୂଚନା ମିଳିଛି । ଦୁଇ ମହିଳାଙ୍କ ମାନସିକ ସ୍ଥିତି ଠିକ ନଥିବା ଅନୁମାନ କରାଯାଉଛି । ରାଜ୍ୟରେ ମହିଳାଙ୍କ ସ୍ଥିତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଧାୟିକା । ସେ କହିଛନ୍ତି, ଦୁଇ ଜଣ ମହିଳାଙ୍କୁ ଏପରି ଅବସ୍ଥାରେ ଦେଖି ମଧ୍ୟ କେହି ପୋଲିସକୁ କିମ୍ବା ଅନ୍ୟ କାହାକୁ ଫୋନ କରି ନଜଣାଇବା ଦୁର୍ଭାଗ୍ୟଜନକ । ଦୁଇ ମହିଳା ଏବେ ଆସ୍ଥାଗୃହରେ ଅଛନ୍ତି। ଜଣେ ମହିଳାଙ୍କର ବୟସ ୨୭ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଦୁଇ ମହିଳା କେଉଁଠୁ ଆସିଲେ, କୁଆଡ଼େ ଯାଉଥିଲେ, ସେମାନଙ୍କୁ ଏ ଅବସ୍ଥାରେ କିଏ ଛାଡ଼ିଲା, ସେମାନଙ୍କ ପରିଚୟ କ’ଣ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ବିଧାୟକ ଦୁଇ ମହିଳା ଉତ୍ତରୀୟ ପିନ୍ଧାଇଦେବା ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଇଛି।