ମାଡି ଆସୁଛି କରୋନା,ଏନେଇ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ

0

ଭୁବନେଶ୍ୱର : ବିଗତ ୩ ବର୍ଷ ହେଲା ପାଦରେ ଶିକୁଳି ମୁଖରେ ତୁଣ୍ଡି ଦେଇ ବନ୍ଦୀ ହୋଇଥିଲା ସାରା ବିଶ୍ୱ । ସେଥିରୁ ମୁକୁଳିବାର କିଛିଦିନ ବି ହୋଇନି ପୁଣି ତୁଣ୍ଡି ବାନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାରଣ ପୁଣି ମାଡୁଛି ମହାମାରୀ । କରୋନାର ନୂଆ ଭ୍ୟାରିଆଣ୍ଟର ସଂକ୍ରମଣକୁ ନଜରରେ ରଖି ମେଡିକାଲ ଅକ୍ସିଜେନ୍ ଓ ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ । ଏବେ ଦେଶରେ କୋଭିଡ଼ ସଂକ୍ରମଣ କମ୍ ଥିଲେ ବି ପ୍ରସ୍ତୁତ ରହିବାକୁ ପଡ଼ିବ । ଭବିଷ୍ୟତରେ କିଛି ଚ୍ୟାଲେଂଜ ଆସିଲେ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ ପ୍ରସ୍ତୁତକାରୀ ପ୍ଲାଣ୍ଟ ପୂର୍ଣ୍ଣ କାର୍ଯ୍ୟକ୍ଷମ ସହ ଅକ୍ସିଜେନ୍ ପ୍ରସ୍ତୁତି ଓ ନିର୍ବିଘ୍ନ ଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ସଂକ୍ରମଣକୁ ନଜରରେ ରଖି ବିମାନବନ୍ଦରରେ ବଢିଲା କଟକଣା । ୫ ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ସଂପୃକ୍ତ ଦେଶରୁ ଆସୁଥିବା ଯାତ୍ରୀ ଏୟାର ସୁବିଧା ଫର୍ମ ପୂରଣ କରି ନିଜ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେବେ । ଏହି ଦେଶ ଗୁଡିକରୁ ଆସିଥିବା ଯାତ୍ରୀମାନଙ୍କ ଠାରେ ଯଦି କରୋନା ଲକ୍ଷଣ କିମ୍ବା କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ।