ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ ଜାରି କରି ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ

0

ନୂଆଦିଲ୍ଲୀ-: ପହଲଗାମ ଆକ୍ରମଣର ପ୍ରତିଶୋଧ ପାଇଁ ଭାରତର କାର୍ଯ୍ୟାନୁଷ୍ଠାନ ପରେ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଛି ଯୁଦ୍ଧ ପରିସ୍ଥିତି। ତେଣୁ ଆଗକୁ ଯୁଦ୍ଧ ବଢ଼ିଲେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ ଜାରି କରି  ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ । ସିଭିଲ ଡିଫେନ୍ସ ନିୟମ ଅନୁଯାଇ ଜରୁରୀ କ୍ଷମତା ପ୍ରୟୋଗ କରିବେ ରାଜ୍ୟ ସରକାର । ବର୍ତ୍ତମାନର ପରିସ୍ଥିତିକୁ ଦେଖି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଗଲା ଏବଂ ସମସ୍ତ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ କୁହାଯାଇଛି ।

  • ସିଭିଲ୍‌ ଡିଫେନ୍ସ ୧୯୬୮ ମସିହାରେ ପ୍ରସ୍ତୁତ ହୋଇଥିଲା ଏବଂ ୨୪ ମେ ୧୯୬୮ରେ ଲାଗୁ ହେଲା । ୨୦୦୯ରେ ସିଭିଲ୍‌ ଡିଫେନ୍ସ ରେ ସଂଶୋଧନ ଆସିଥିଲା । ତେବେ  ଆସନ୍ତୁ  ଜାଣିବା ସିଭିଲ୍‌ ଡିଫେନ୍ସ ରେ କଣସବୁ ନିୟମ ରହିଛି ।
  • ସାରାଦେଶ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଗୋଟିଏ ନିୟମ ଲାଗୁ ହେବ ଯାହା ଅନ୍ୟ ସମସ୍ତ ନିୟମଠାରୁ ଊର୍ଦ୍ଧ୍ବରେ ରହିବ ।
  • ଯୁଦ୍ଧ, ଜରୁରୀକାଳୀନ ସ୍ଥିତିରେ ସନ୍ତ୍ରାସବାଦ, ଉଗ୍ରବାଦ ଆକ୍ରମଣ ବେଳେ ଏହି ନିୟମ ଲାଗୁ ହେଇପାରିବ । ସରକାର ଓ ସେନା ସମସ୍ତ ଆବଶ୍ୟକ ନିଷ୍ପତ୍ତି ନେଇପାରିବେ ।
  • ଯୁଦ୍ଧ ପୂର୍ବରୁ, ଯୁଦ୍ଧ ବେଳେ ଓ ଯୁଦ୍ଧ ପରେ ନିଷ୍ପତ୍ତି ନେଇହେବ ଏବଂ ଧନଜୀବନ ସୁରକ୍ଷିତ ରଖିବାକୁ ସ୍ବତନ୍ତ୍ର କ୍ଷମତା ରହିବ ।
  • ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଉପରେ ରୋକ୍‌ ଲାଗିପାରିବ । ଟ୍ରାଫିକ୍‌ ନିୟନ୍ତ୍ରଣ, ନୌ ପରିଚାଳନା ବନ୍ଦ କରିପାରିବେ ସରକାର । ସୁରକ୍ଷା ଦୃଷ୍ଟିରୁ ଯେକୌଣସି କୋଠାକୁ ହେପାଜତକୁ ନେଇପାରିବେ ଏବଂ ସୁରକ୍ଷା ଲାଗି ଯେ କୌଣସି କୋଠାକୁ ଭାଙ୍ଗି ପାରିବେ ସରକାର ।
  • ବାଣ ଭଳି ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରି ଉପରେ ରୋକ ଲଗାଯିବ । ଓୟାରଲେସ୍‌ ଟେଲିଗ୍ରାଫ୍‌, ଟେଲିଫୋନ୍‌ ବ୍ୟବହାର ଉପରେ ରୋକ ଲଗାଯାଇପାରିବ । ଫଟୋ, ଭିଡିଓ ଉତ୍ତୋଳନ, ପ୍ରସାରଣରେ ପ୍ରତିବନ୍ଧକ ଲାଗିପାରିବ ଏବଂ ଯେ କୌଣସି ସାମଗ୍ରୀକୁ ହେପାଜତକୁ ନେଇପାରିବେ ସରକାର ।