ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୪ ଘଣ୍ଟା ଧରି ଫସି ରହିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ-: ବିମାନବନ୍ଦରରେ ଫସିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୪ ଘଣ୍ଟା ଧରି ଫସି ରହିଥିଲେ । ଏୟାର ଇଣ୍ଡିଆର ଏକ ବିମାନ ରନ୍ୱେରେ ୪ ଘଣ୍ଟା ଧରି ଫସି ରହିଥିବା ସୂଚନା ମିଳିଛି ।
ଆଜି ଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୨୪୮୯ରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ବିମାନରେ ଥିବା ୧୮୦ଜଣ ଯାତ୍ରୀ ହଟହଟା ହୋଇଛନ୍ତି । ବିମାନରେ ଆସୁଥିବା ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ବିମାନଟି ଦିଲ୍ଲୀରୁ ଅପରାହ୍ନ ୫ଟା ୪୫ରେ ଛାଡ଼ିବାକୁ ଥିବାରୁ ସେମାନେ ଅପରାହ୍ନ ୪ଟାରେ ଚେକ୍ ଇନ୍ କରିଥିଲେ । ହେଲେ ଅପରାହ୍ନ ସାଢ଼େ ୫ଟା ପାଖାପାଖି ଘୋଷଣା କରାଗଲା ଯେ ବିମାନ ବିଳମ୍ବରେ ଆସିବ । ବିମାନଟି ପ୍ରାୟ ତିନି ଘଣ୍ଟା ବିଳମ୍ବରେ ଆସିଥିବାବେଳେ ଯାତ୍ରୀମାନେ ବୋର୍ଡିଂ କରିଥିଲେ । ହେଲେ ବିମାନରେ ବସିବା ପରେ ବିମାନ ରନ୍ୱେକୁ ନଯିବାରୁ ଯାତ୍ରୀମାନେ ବ୍ୟସ୍ତ ହୋଇ ଏୟାର ହୋଷ୍ଟେସ୍ଙ୍କୁ ଏହାର କାରଣ ପଚାରିଥିଲେ । କିନ୍ତୁ କିଛି ଉତ୍ତର ପାଇନଥିଲେ । ବିମାନରେ ଆସୁଥିବା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ବି ବ୍ୟସ୍ତ ହୋଇ କର୍ମଚାରୀଙ୍କୁ ଏନେଇ ପଚାରିବାରୁ ଜାଣିବାକୁ ପାଇଥିଲେ ଯେ ବିମାନର ପାଇଲଟ୍ ଆସିନଥିବାରୁ ବିମାନ ଉଡ଼ାଣ କରିପାରୁନି । ଏହିପରି ପ୍ରାୟ ଅଢ଼େଇ ଘଣ୍ଟା କାଳ ଯାତ୍ରୀଙ୍କୁ ବିମାନ ଭିତରେ ବସାଇ ରଖାଯାଇଥିଲା । କିଛି ଅଘଟଣ ଘଟିବା ଆଶଙ୍କା କରି ଯାତ୍ରୀମାନେ ବାହାରକୁ ଯିବାକୁ ଚାହିଁଥିଲେ ବି କର୍ମଚାରୀମାନେ ବାହାରକୁ ଛାଡ଼ି ନଥିଲେ ।