କ୍ରସର ୟୁନିଟକୁ ବନ୍ଦ କରିବା ନେଇ ମାଲିକ ସଂଘର ନିଷ୍ପତି

0

(ଖୋର୍ଦ୍ଧା / ଅରଶଦ୍ ଉଲ୍ ହକ୍ ) : ଏସ.ଟି.ଏଫ୍. ଟିମର ଜିଲ୍ଲାରେ ଥିବା କ୍ରସର ୟୁନିଟ୍ ଗୁଡ଼ିକ ଉପରେ ଘନଘନ ଚଢାଉ ଫଳରେ ଆଂଚଳିକ କ୍ରସର ମାଲିକ ସଂଘ ଗତ ୨୭ ତାରିଖ ଠାରୁ ସମସ୍ତ କ୍ରସର ୟୁନିଟ୍ ଗୁଡ଼ିକ ବନ୍ଦ କରି ଦେଇଛନ୍ତି । ଏହି କ୍ରସର ୟୁନିଟ୍ ଗୁଡ଼ିକରେ କାମ କରି ଅନେକ ବେକାର ଯୁବକ ଯୁବତୀ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ୫୦୦ରୁ ଅଧିକ ବେକାର ଯୁବକ ଋଣରେ ଟ୍ରକ କିଣି ପଥର ଖଣି ଗୁଡ଼ିକରୁ ସ୍ପଲ ଆଣି କ୍ରସର ମାନଙ୍କୁ ଯୋଗାଇଥାନ୍ତି । ସେଥିରୁ ସୃଷ୍ଟି ହେଉଥିବା ଚିପ୍ସ ଗୁଡ଼ିକ ଇନ୍ଦିରାଆବାସ ହିତାଧିକାରୀ ଓ ସାଧାରଣ ଜନତାଙ୍କ କାର୍ଯ୍ୟପାଇଁ ବ୍ୟବହୃତ ହୋଇଥାଏ । ୨୦୧୫ ମସିହାରେ ନିଲାମ ହୋଇଥିବା ୧୮ଟି ଖଣି ମଧ୍ୟରୁ ମାତ୍ର ୭ଟି ଖଣିକୁ କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ସେଥିରୁ ଉତ୍ପାଦନ ହେଉଥିବା ସ୍ପଲ ଗୁଡ଼ିକ ପ୍ରାୟ ୩୦୦ କ୍ରସରକୁ ଚଳାଇବା ପାଇଁ ଯଥେଷ୍ଟ ହେଉ ନଥିବାରୁ କ୍ରସର ଶିଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେମାନେ ବାଧ୍ୟ ହୋଇଛନ୍ତି । ଏହା ପୂର୍ବରୁ ବେକାର ଯୁବକମାନେ ନିଲାମ ହୋଇଥିବା ପଥର ଖଣି ଗୁଡ଼ିକରୁ ସେମାନଙ୍କ ଗାଡ଼ି ଦ୍ୱାରା ସ୍ପଲ ଆଣି ବିଭିନ୍ନ କ୍ରସର ୟୁନିଟକୁ ଯୋଗାଇ ଦେଉଥିଲେ । କିନ୍ତୁ ଏସ.ଟି.ଏଫ୍. ଟିମର ଚଢାଉ ଫଳରେ କ୍ରସର ମାଲିକମାନେ ଜାଣିବାକୁ ପାଇଲେ ଯେ, ବିନା ୱାଇ ଫର୍ମରେ ସ୍ପଲ କିଣିବା ଦୋଷାବହ, ଏସ.ଟି.ଏଫ୍.ର ଚଢାଉ ମଧ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ୱାଇ ଫର୍ମ ନ ମଳିବା ପର୍ଯ୍ୟନ୍ତ କ୍ରସର ୟୁନିଟ୍ ଗୁଡ଼ିକ ବନ୍ଦ ରଖାଯିବ । ଯେଉଁମାନେ ବେଆଇନ ଭାବରେ କ୍ରସର ଚଳାଇବେ ତାଙ୍କ ପାଇଁ ସଂଘ ଦାୟୀ ରହିବ ନାହିଁ । ଏହା ପୂର୍ବରୁ ମୁଣ୍ଡିଆ ମାଲିକମାନେ ଶ୍ରୀମନ୍ଦିର ପ୍ରଶାସନ ନିକଟରୁ ସିଧା ସଳଖ ମୁଣ୍ଡିଆ ନିଲାମ ଆଣୁଥିଲେ । କ୍ରସର ମାଲିକମାନେ କ୍ରସର ସ୍ଥାପନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଜାଗା ଆଣି ଏକର ପିଛା ବର୍ଷକୁ ୬୦ ହଜାର ଟଙ୍କା ଭଡ଼ା ଦେଉଥିଲେ । କିନ୍ତୁ ପରବର୍ତୀ ମୁହର୍ତରେ ଏହା ବର୍ଷକୁ ୧ଲକ୍ଷ ୨୦ ହଜାର ଟଙ୍କା ବୃଦ୍ଧି ପାଇଛି । ଯାହା ବ୍ୟୟ ସାପେକ୍ଷ ଓ କ୍ରସର ଶିଳ୍ପ ଚଳାଇବା ଅସମ୍ବବ । ବର୍ତମାନ କ୍ରସର ମାଲିକ ସଂଘର ଦାବୀ ମୁତାବକ ଖୋର୍ଦ୍ଧା ଜିଲ୍ଲାରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ପାହାଡ଼କୁ ଯଥାଶୀଘ୍ର କାର୍ଯ୍ୟାଦେଶ ପ୍ରଦାନ କରାଯିବା ସଂଗେ ସଂଗେ ନିଲାମଧାରୀ ମାନଙ୍କୁ ୱାଇ ଫର୍ମ ଦେବାକୁ ନିର୍ଦ୍ଦେଶ ଦିଆଯାଉ ଏବଂ ବର୍ଦ୍ଧିତ ଜମିର ଭଡ଼ାକୁ ୨୦୧୫ ମସିହା ପୂର୍ବରୁ ଧାର୍ଯ୍ୟ ହୋଇଥିବା ଭଡ଼ା ଲାଗୁ କରାଯାଉ । ଏହା ଫଳରେ ହଜାର ହଜାର ଶ୍ରମିକ ଦାଦନ ଖଟି ଯିବାରୁ ମୁକ୍ତି ପାଇବେ । ଏ ସମ୍ପର୍କରେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିବା ନେଇ ସଂଘ ତରଫରୁ ସୂଚନା ଦିଆଯାଇଥିଲା । ଆଜି ବି.ଡ଼ି.ଏ. କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ଆଂଚଳିକ କ୍ରସର ମାଲିକ ସଂଘର କାର୍ଯ୍ୟକାରୀ ସଭାପତି ପ୍ରକାଶ କୁମାର ସାମନ୍ତରାୟ, ସମ୍ପାଦକ ପ୍ରଦେଶ ବୈରିଗଞ୍ଜନ, ଉପସଭାପତି ସୁବାସ ପାତ୍ର, ରାଜ ପାତ୍ର , ରମଜାନ୍ ଖାନ୍ଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ । ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର କହିଥିଲେ ଯେ, ଏ ସମ୍ପର୍କରେ ବିଧାନ ସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ  ରଂଜନ ପଟ୍ଟନାୟକ, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ସେ ନିଜେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏହି ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ରାଜ୍ୟ ସରକାରଙ୍କର ମଧ୍ୟ ଆନ୍ତରିକତା ରହିଛି । ଏ କ୍ରିୟାନୁଷ୍ଠାନ କମିଟି ଗଠନ କରି ଭବିଷ୍ୟତରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏ ସମ୍ପର୍କରେ ନିଷ୍ପତି ନେବାକୁ ସେ ଆଂଚଳିକ କ୍ରସର ମାଲିକ ସଂଘକୁ ପରାମର୍ଶ ଦେଇଥିଲେ ।