୧୦୦୦ ଟଙ୍କାରେ ମିଳିବ ଅନଲିମିଟେଡ୍ ଇଣ୍ଟରନେଟ୍ !

0

ଏବେ ଶେଷ ପର୍ଯ୍ୟାୟରେ ଏଲନ ମସ୍କଙ୍କ ଷ୍ଟାରଲିଙ୍କ୍ ସାଟେଲାଇଟର ପ୍ରସ୍ତୁତି । ଖୁବ୍ଶୀଘ୍ର ଭାରତରେ ଷ୍ଟାରଲିଙ୍କ୍ ସେବା ଆରମ୍ଭ କରିବ । ପୂର୍ବରୁ ୧୦୦ରୁ ଅଧିକ ଦେଶରେ ଏହି ସାଟେଲାଇଟ ଇଣ୍ଟରନେଟ ସେବା ଉପଲବ୍ଧ ହୋଇସାରିଲାଣି । ଷ୍ଟାରଲିଙ୍କ୍ ପାରମ୍ପରିକ ଇଣ୍ଟରନେଟ୍ ସଂଯୋଗ ନଥିବା ଅଞ୍ଚଳରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବାକୁ ଯାଉଛି । ଭାରତର ଉଭୟ ସହର ଏବଂ ଉପାନ୍ତ ଅଞ୍ଚଳକୁ ମଧ୍ୟ ସଂଯୋଗ କରିବ । କିନ୍ତୁ ଭାରତରେ ଏହାର ମୂଲ୍ୟ କ’ଣ ହେବ ? ଯାହା ସୂଚନା ରହିଛି, ୧ହଜାରରୁ କମ୍ ଟଙ୍କାରେ ଭାରତୀୟ ଉପଭୋକ୍ତା ମାନେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସ୍ପେସଏକ୍ସର ଏହି ସାଟେଲାଇଟ ଭାରତରେ ଅସୀମିତ ଡାଟା ପ୍ଲାନ ସେବା ପାଇଁ ଦଶ ଡଲାର ବା ଯାହାର ମୂଲ୍ୟ ୮୪୦ଟଙ୍କା ଚାର୍ଜ କରିପାରେ । ପ୍ରାରମ୍ଭିକ ମୂଲ୍ୟ କମ୍ ଥିବାରୁ ଏହା ବେଶ୍ ଲୋକପ୍ରିୟ ହୋଇପାରେ । ଭାରତୀ ଗ୍ରୁପ୍,ବେକ୍ଡ ୟୁଟେଲସେଟ. ୱାନୱେବ , ରିଲାଏନ୍ସ ଜିଓ – ଏସଇଏସର ସହିତ ମିଳିତ ସହଯୋଗ ଏବଂ ଗ୍ଲୋବାଲଷ୍ଟାର ଭଳି କମ୍ପାନୀ ଷ୍ଟାରଲିଙ୍କ୍ ସହ ପ୍ରତିଯୋଗିତା କରିପାରନ୍ତି । ଏମାନେ ମଧ୍ୟ ଭାରତରେ ହାଇସ୍ପିଡ ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିପାରନ୍ତି । ସର୍କ୍ୟୁଲେସନ ପାଇଁ ଷ୍ଟାରଲିଙ୍କ ଜିଓ ଏବଂ ଏୟାରଟେଲର ସହଯୋଗ ଲୋଡିପାରେ ।


ଏହି ମାସରେ ଷ୍ଟାରଲିଙ୍କକୁ ଟେଲିକମ୍ୟୁନିକେସନ୍ ବିଭାଗ (ଡିଓଟି) ଏକ ଇଣ୍ଟେଣ୍ଟ ଲେଟର୍ (ଏଲ୍ଓଏଲ୍) ଜାରି କରିଥିଲା । ତାର ଅର୍ଥ ଭାରତ ସରକାରଙ୍କ ଠାରୁ ସହମତି ପାଇସାରିଲାଣି । ସୁଚନା ଅନୁଯାୟୀ, ଷ୍ଟାରଲିଙ୍କ୍ ଦେଶରେ ଆନୁଷ୍ଠାନିକ ଭାବରେ ସେବା ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଅଇଏନ-ଏସପିଏସିଇ) ଠାରୁ ଶେଷ ଅନୁମୋଦନ ପରେ ଆରମ୍ଭ କରିବ ।


ବର୍ତ୍ତମାନ ଭୁଟାନ ଏବଂ ବାଂଲାଦେଶ ସମେତ ୧୦୦ ରୁ ଅଧିକ ଦେଶରେ ଷ୍ଟାରଲିଙ୍କ ସେବା ଦେଉଛି । ବିଶେଷ କରି ଯେଉଁ ଅଞ୍ଚଳରେ ବ୍ରଡବ୍ୟାଣ୍ଡ ସୁବିଧା ଅଭାବ ଅଛି । ସେଠାରେ ହାଇ-ସ୍ପିଡ୍ , କମ୍-ଲାଟେନ୍ସୀ ଇଣ୍ଟରନେଟ୍ ପ୍ରଦାନ କରୁଛି । ଭାରତରେ ମୂଲ୍ୟ ଅତି କମ୍ରହିବ କୁହାଯାଉଥିବାବେଳେ ବର୍ତ୍ତମାନ ଆମେରିକାରେ ଷ୍ଟାରଲିଙ୍କ୍ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପାଇଁ ଉପଭୋକ୍ତା ମାନଙ୍କଠାରୁ ପ୍ରତିମାସରେ ୧୨୦ ଡଲାର ବା ପାଖାପାଖି ୧୦ ହଜାର ଟଙ୍କା ଆଦାୟ କରୁଛି । ଯାହା ସୂଚନା ମିଳିଛି, ପ୍ରମୋସନାଲ୍ ଅଫର୍ ସମାପ୍ତ ହେବା ପରେ ସ୍ଥାନ ଅନୁଯାୟୀ ପ୍ରକୃତ ମାସିକ ମୂଲ୍ୟ ୩୦୦୦ରୁ ୭୦୦୦ ହଜାର ଟଙ୍କା ହୋଇପାରେ ।
ଉପଭୋକ୍ତାମାନଙ୍କୁ ମାସିକ ସବସ୍କ୍ରିପସନ୍ ସହିତ ଷ୍ଟାରଲିଙ୍କ ହାର୍ଡୱେର୍ କିଟ୍ କିଣିବାକୁ ପଡିବ । ଯେଉଁଥିରେ ସାଟେଲାଇଟ୍ ଡିସ୍ ଏବଂ ୱାଇ-ଫାଇ ରାଉଟର୍ ରହିପାରେ । ଓ ଏହାର ମୂଲ୍ୟ ପ୍ରାୟ ୨୫୦ ଡଲାରରୁ ୩୮୦ ଡଲାର ଅର୍ଥାତ୍ ୨୧,୩୦୦ ଟଙ୍କା ରୁ ୩୨,୪୦୦ ଟଙ୍କା ଅଟେ । କିନ୍ତୁ ଅନେକ ଭାରତୀୟ ଉପଭୋକ୍ତାଙ୍କୁ ଏପରି ଏକକାଳୀନ ମୂଲ୍ୟ ଏକ ଦ୍ୱନ୍ଦ୍ୱ ରେ ପକାିପାରେ । କାରଣ ଏବେ ଦେଶରେ ଫାଇବର ବ୍ରଡବ୍ୟାଣ୍ଡ ସେବା କମ ଶୁଳ୍କରେ ବହୁ ମନୋରଞ୍ଜନର ସୁବିଧା ଦେଉଛି । ହେଲେ ଏହାର ସୁବିଧା ଉପାନ୍ତ ଅଞ୍ଚଳରେ ଉପଲବ୍ଧ ନାହିଁ । ଭାରତୀୟ ବଜାରରେ ଷ୍ଟାରଲିଙ୍କ୍ କେତେ ପରିମାଣରେ ଫଳପ୍ରଦ ହେଉଛି ତାହା ଦେଖିବାକୁ ଅପେକ୍ଷା ।