ସୁନ୍ଦରଗଡ: ଏକତରଫା ପ୍ରେମରୁ ହତ୍ୟା କାଣ୍ଡ । ଅଙ୍ଗନବାଡି କର୍ମୀଙ୍କ ରକ୍ତାକ୍ତ ଶବ ଉଦ୍ଧାର । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମରେ । ସେହି ଗ୍ରାମର ଅଙ୍ଗନବାଡି କର୍ମୀ ଦିବ୍ୟାଭାରତୀ ଅଢା (୨୩) ସ୍କୁଲ ବନ୍ଦ କରି ଘରକୁ ଫେରୁଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ହୋଇଛି ଅଭିଯୋଗ ।
ସୂଚନା ଅନୁଯାୟୀ , ପୂର୍ଣ୍ଣା ଗ୍ରାମର ଧନୁର୍ଜୟ ଅଢ଼ା ଏବଂ ସଂଯୁକ୍ତା ଅଢ଼ାଙ୍କ ୩ ସନ୍ତାନଙ୍କ ମଧ୍ୟରେ ମଝିଆ ଝିଅ ଦିବ୍ୟାଭାରତୀ ଗାଁରେ ଅଙ୍ଗନବାଡ଼ି କର୍ମୀ ଥିଲେ । ବୁଧବାର ସ୍କୁଲ ଛୁଟି ପରେ ପ୍ରାୟ ସାଢ଼େ ୧୨ଟାରେ ଘରକୁ ଫେରୁଥିବାବେଳେ ଗାଁ ବସ୍ତି ରାସ୍ତାରେ ତାଙ୍କୁ କେହି ଫାର୍ସାରେ ହାଣି ହତ୍ୟା କରିଥିଲା । ରାସ୍ତାରେ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ନେଇ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକାଙ୍କଠାରୁ ପରିବାର ଲୋକେ ସୂଚନା ପାଇ ହତ୍ୟାକାଣ୍ଡ ସ୍ଥଳକୁ ଯାଇଥିଲେ ।
ସୂଚନା ପାଇ ପୁଲିସ୍ ପହଞ୍ଚି ତନାଘନା କରିଥିଲା । ମୃତଦେହ ପଡ଼ିଥିବା ସ୍ଥାନଠାରୁ ପ୍ରାୟ ୩୦ ମିଟର ଦୂରରୁ ରକ୍ତଭିଜା ଫାର୍ସାକୁ ଜବତ କରାଯାଇଛି । ତେବେ ମୃତଦେହ ବ୍ୟବଛେଦ ପାଇଁ ହେମଗିର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଛି। ମୃତ ଅଙ୍ଗନବାଡ଼ି କର୍ମୀଙ୍କ ମା’ ସଂଯୁକ୍ତାଙ୍କ କହିବା କଥା, ଗ୍ରାମର ଶରତ ଝିଅ ଦିବ୍ୟାଭାରତୀକୁ ବିବାହ କରିବାକୁ ଜିଦ୍ କରୁଥିଲା । ବିବାହ ନ କଲେ ମାରିଦେବ ବୋଲି ଧମକ ଦେଇଥିଲା । ସେ ହିଁ ଝିଅକୁ ହତ୍ୟା କରିଛି ବୋଲି ସଂଯୁକ୍ତା ଅଭିଯୋଗରେ ଦର୍ଶାଇଛନ୍ତି ।