ଉନ୍ନାଓ ଗଣଦୁଷ୍କର୍ମ: ସିବିଆଇ ଯାଞ୍ଚ ପାଇଁ ସରକାର ପ୍ରସ୍ତୁତ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମର ପୀଡିତା ଏବଂ ତାର ପରିବାର ସହ ହୋଇଥିବା ଦୁର୍ଘଟଣାର ଯାଂଚ୍ ପାଇଁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୟୁପି ପୁଲିସ ମୁଖ୍ୟ ଓପି ସିଂହ କହିଛନ୍ତି, ଯଦି ପୀଡିତାର ପରିବାର ଦାବି କରିବେ ତେବେ ଆମେ ଏହି ମାମଲାରେ ସିବିଆଇ ଯାଂଚ୍ କରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ। ତେବେ ପ୍ରାରମ୍ଭିକ ତଦନ୍ତରେ ଏହା ଦୁର୍ଘଟଣା ଭଳି ପ୍ରତୀତ ହେଉଛି ।
ଉତ୍ତର ପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମର ପୀଡିତା ଏବଂ ତାଙ୍କର ପରିବାର ଓ ଓଳିଲ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ପୀଡିତାଙ୍କ ଖୁଡୀ ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଓକିଲଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ପୀଡିତା ଏବେ ଜୀବନ ମରଣ ଦେଇ ଗତି କରୁଛନ୍ତି । ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି । ତେବେ ଏହା ଦୁର୍ଘଟଣା ନା ପୀଡିତାଙ୍କର ସ୍ୱର ଚାପିବାକୁ ଏପରି କରାଯାଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଟ୍ରୋମା ସେଣ୍ଟର ପରିଦର୍ଶନ କରିଥିବା ଲକ୍ଷ୍ନୌର ଏଡିଜି କହିଛନ୍ତି, ପୀଡିତା ଏବଂ ଓକିଲଙ୍କ ଶରୀରର ବହୁ ସ୍ଥାନରେ ମଲଟିପଲ ଫ୍ରାକ୍ଚର ରହିଛି ।
ମାମଲାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଏହି ମାମଲରେ ସିବିଆଇ ଯାଂଚ୍ କେତେ ବାଟ ଗଲା ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନ ଉଠାଇଛନ୍ତି । ବିଏସପି ସୁପ୍ରିମୋ ମାୟାବତୀ ମଧ୍ୟ ଟ୍ୱିଟ୍ କରି ଏହି ଦୁର୍ଘଟଣା ପଛରେ ହତ୍ୟା ଉଦ୍ୟମ ଆଶଙ୍କା ଜାଗ୍ରତ କରିଛନ୍ତି । ଆଜି ସଂସଦରେ ମଧ୍ୟ ଏହି ଘଟଣାକୁ ନେଇ ହଟ୍ଟଗୋଳ ସୃଷ୍ଟି ହୋଇଛି ।