ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯୌନ ନିର୍ୟାତନା ମାମଲାରେ ପୁଣି ଏକ ବଡ଼ ଝଟକା ଲାଗିଛି। ଯୌନ ଶୋଷଣ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ୫ ମିଲିୟନ ଡଲାର ଜୋରିମାନା ଲଗାଇଛନ୍ତି ଆମେରିକାର ଫେଡେରାଲ କୋର୍ଟ । ୧୯୯୦ ଦଶକରେ ସେ ଜଣେ ଲେଖିକାଙ୍କୁ ଯୌନ ନିର୍ୟାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା।
୧୯୯୦ ଦଶକରେ ଏକ ପତ୍ରିକାର ଲେଖିକା ଇ.ଜାନ କାରୋଲଙ୍କୁ ଯୌନ ନିର୍ୟାତନା ଦେବା ସହ ପରେ ତାଙ୍କୁ ମିଛ କେସରେ ବଦନାମ କରିଥିଲେ ଟ୍ରମ୍ପ । ୭୯ ବର୍ଷୀୟ କାରୋଲ କହିଛନ୍ତି ଯେ, ଟ୍ରମ୍ପ, ୧୯୯୫ କିମ୍ବା ୧୯୯୬ ରେ ମାନହେତନରେ ଏକ ଷ୍ଟୋରର ଡ୍ରେସିଂ ରୁମରେ ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। କେବଳ ଏତିକି ନୁହେଁ, ଅକ୍ଟୋବର ୨୦୨୨ରେ ସେ ନିଜ ଇଣ୍ଟରନେଟ ପ୍ଲାଟଫର୍ମରେ ଏକ ପୋଷ୍ଟ ଲେଖି ନିଜର ଖ୍ୟାତି ଅର୍ଜନ କରିଥିଲେ ।
୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କ ଶାରୀରିକ ସମ୍ପର୍କ ରଖିବା ଓ ଲାଞ୍ଚ ଟଙ୍କା ଦେଇ ମୁହଁ ବନ୍ଦ କରିବା ମାମଲାରେ ଗିରଫ ହୋଇଥିଲେ । ଟ୍ରମ୍ପ ୨୦୧୭ ରୁ ୨୦୨୧ ପର୍ୟ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ। ରିପବ୍ଲିକାନ୍ ପାର୍ଟିରୁ ସେ ଏବେ ବି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଲିକାରେ ଆଗୁଆ ଅଛନ୍ତି। ହେଲେ କୋର୍ଟଙ୍କ ଏହି ନିଷ୍ପତ୍ତି ତାଙ୍କ ଦଳକୁ ମଧ୍ୟ ନିରାଶ କରିପାରେ।