୧୬ ଜିଲ୍ଲାରେ ଟୀକାକରଣ ବନ୍ଦ

0

ଭୁବନେଶ୍ୱର: ଟୀକା ଅଭାବରୁ ରାଜ୍ୟରେ ଆଜି ୧୧୪ ସ୍ଥାନରେ ଟୀକାକରଣ ଚାଲିଛି । ଗତକାଲି ରାଜ୍ୟରେ ୩ ଲକ୍ଷ ଲୋକଙ୍କୁ ଟୀକାକରଣ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୪୯ ହଜାର ଡୋଜ ଦିଆଯାଇଛି। ଭୁବନେଶ୍ୱରରେ ୭୨ ଟି ସେଣ୍ଟର ରହିଥିବା ବେଳେ ଅବଶିଷ୍ଟ ୪୨ଟି ଅନ୍ୟ ଜିଲ୍ଲାରେ ଚାଲୁଛି। ଟିକା ଅଭାବରୁ ୧୬ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି ।
ଗୋଟିଏ ପଟେ ଟୀକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ତଥା ରାଜ୍ୟ ଲୋକଙ୍କୁ ଆହ୍ୱାନ ଦେଉଛନ୍ତି । ଅନ୍ୟ ପଟେ କିନ୍ତୁ କେନ୍ଦ୍ର ପକ୍ଷରୁ ଟୀକା ଯୋଗା ଯାଉନାହିଁ । ରାଜ୍ୟରେ ବର୍ତ୍ତମାନ ୧୯ ହଜାର କୋଭିସିଲଡ଼ ଟୀକା ଓ ୩ ଲକ୍ଷ ଉପରେ କୋଭାସ୍କିନ ଟୀକା ମହଜୁଦ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ବିଜୟ କହିଛନ୍ତି, ଆମେ କେନ୍ଦ୍ର ସରକାରଙ୍କୁ ୬ ଲକ୍ଷ ଟୀକା ମାଗିଥିଲୁ। ଆଜି ୧ ଲକ୍ଷ କୋଭିସିଲିଡ଼ ଟୀକା ପହଞ୍ଚିବା ନେଇ ସୂଚିତ କରାଯାଇଛି । ତୃତୀୟ ଲହର ପୂର୍ବରୁ ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖିଛୁ । ଏହାକୁ ଆଖି ଆଗରେ ରଖି ପ୍ରତିଦିନ ୩ ଲକ୍ଷ ଟୀକାକରଣ କରିବାକୁ ଟାର୍ଗେଟ କରିଛୁ। ମାତ୍ର ପର୍ଯ୍ୟାପ୍ତ ଟୀକା ମିଳିପାରୁ ନ ଥିବାରୁ ତାହା ବାଧାପ୍ରାପ୍ତ ହେଉଛି।