ସେଖ ପୈଜାନ କାଦ୍ରୀ/ ଭଦ୍ରକ:ଆଜି ପ୍ରଥମ ପର୍ଯ୍ୟାୟ ଟୀକାକରଣ ଶୁଭାରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାର ବାସୁଦେବପୁର ସିଏଚ୍ସିରେ ଏହାର ଶୁଭାରମ୍ଭ ହୋଇଥିବା ବେଳେ ଭଦ୍ରକ ପୌରପାଳିକାର କୁଆଁସ ପିପିସି ଓ ବରପଦା ସିଏଚ୍ସି ପରି ୩୬ଟି କେନ୍ଦ୍ରରେ ଠାରେ ଟୀକାକରଣ କରାଯାଇଛି । ତେବେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଏହାକୁ ଶୁଭାରମ୍ଭ କରିଛନ୍ତି । ପ୍ରତି ଟୀକା କେନ୍ଦ୍ରରେ ପ୍ରତିଦିନ ୧୦୦ଜଣଙ୍କୁ ଟୀକା ପ୍ରଦାନ କରାଯିବ ।
ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ମୋଟ ୮୫୬୬ଜଣ ଟୀକା ନେବାକୁ ନାମ ପଞ୍ଜିକରଣ କରାଯାଇଛି । ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ୪ହଜାର ୪୮ଜଣ ଥିବା ବେଳେ ଅଙ୍ଗନୱାଡି ଏବଂ ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ବିଭାଗ ଅଧୀନ କର୍ମଚାରୀ ୪ହଜାର ୫୧୮ଜଣ ଟୀକା ନେବେ । ପଞ୍ଜିକୃତ ହିତାଧିକାରୀ ଭାବେ ଭଦ୍ରକ ପୌରପାଳିକାରୁ ୧୨୩୦ଜଣ, ବରପଦା ସିଏଚ୍ସି ଅଧୀନରେ ୭୯୭ଜଣ, ବାସୁଦେବପୁରରୁ ୧୩୧୯, ବନ୍ତରୁ ୮୮୨, ଭଣ୍ଡାରିପୋଖରୀରୁ ୯୭୫, ଚାନ୍ଦବାଲିରୁ ୧୨୩୦, ଧାମନଗରରୁ ୧୦୩୫, ତିହିଡିରୁ ୧୦୯୮ଜଣ ଟୀକା ଗ୍ରହଣ କରିବେ । ତେବେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୫ହଜାର ୫୫୦ ଟୀକା ଆସିଥିବା ବେଳେ ବାକି ୩ହଜାର ୧୬ଟି ଟୀକା (ସିଙ୍ଗ୍ଲ ଡୋଜ) ଆସିବାକୁ ବାକି ରହିଛି । ମୋଟ ୪୮ଟି ଟିମ୍ରେ ୨୪୦ଜଣ ଏହି ଟୀକାଦାନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଜିଲ୍ଲାର ମୋଟ ୩୬ଟି କେନ୍ଦ୍ରରେ ଟୀକା ସବୁକୁ ରଖା ଯାଇଛି ।ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ରଙ୍କ ସୂଚନା ଅନୁସାର ଆସିଥିବା ଟୀକାର ନାମ କୋଭିଶିଲ୍ଡ ଏବଂ ଏହା ଆସନ୍ତା ଏପ୍ରିଲ ୨୯ ତାରିଖ ପର୍ୟ୍ୟନ୍ତ ବୈଧ ରହିଛି ।