ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଗଡିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଏନେଇ ଆଜି ଭୁବନେଶ୍ୱରରେ ରାଜଧାନୀ ଏକ୍ସପ୍ରେସରେ ତେଜସ୍ କୋଚର ଶୁଭାରମ୍ଭ କରିବା ଅବସରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ପୁରୀରୁ ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବ। ଏହାଫଳରେ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ। ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ପ୍ରସ୍ତୁତି କାମ ପ୍ରାୟ ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି।
ମେ’ ୧୮ରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ-ହାୱଡା ମଧ୍ୟରେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ ହୋଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଦାବି କରିଥିଲେ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ।