ଭୁବନେଶ୍ୱର : ମତ୍ସ୍ୟ ସମ୍ପଦ ବିଭାଗର ଉପ ନିର୍ଦ୍ଦେଶକଙ୍କ ଉପରେ ଭିଜିଲାନ୍ସ ଚଢାଉ । ସରକାରୀ ତହବିଲରୁ ୧ କୋଟି ୫ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ସମ୍ପୃକ୍ତ ବିଭାଗର ଉପନିର୍ଦ୍ଦେଶକ ବସନ୍ତ କୁମାର ଦାଶଙ୍କ ଘର ସମେତ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । କଟକ ଫିସରି ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଏହି ଅଧିକାରୀ ୨୦୨୪-୨୫ ବର୍ଷରେ ସରକାରଙ୍କ ଆକାଉଣ୍ଟରୁ ୧କୋଟି ୫ ଲକ୍ଷ ଟଙ୍କା ତାଙ୍କ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଏକ ବିଶେଷ ସୂତ୍ରରୁ ଖବର ପାଇବା ପରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଦାଶଙ୍କ ଉପରେ ଆକ୍ସନ ନେଇଛି ।
ସୂଚନା ଆଧାରରେ ତଦନ୍ତକାରୀ ସଂସ୍ଥା ଦାସଙ୍କ ରାଜଧାନୀର ମହତାବ ରୋଡ, କେଉଟସାହିସ୍ଥିତ ପ୍ଲଟ ନମ୍ବର ୧୪୨୬/୪୦୮୫ ଭଡା ଘର, ପୁରୀର ତୋଟା ମହାବୀରରେ ଥିବା ତାଙ୍କ ଏକ ଘର, ପିପିଲିରେ ଥିବା ଫାର୍ମ ହାଉସ, ଭଦ୍ରକ, ଗୋବିନ୍ଦପୁରର ପୈତୃକ ଘର ଓ କଟକ ଫିସରୀ ମହାନିର୍ଦ୍ଦେଶକ ଅଫିସରେ ଏକକାଳୀନ ଚଢାଉ କରୁଛି । ଏହି ରେଡରେ ୫ଟି ଟିମ ସାମିଲ ହୋଇଛନ୍ତି । ସେଥିରେ ୫ ଜଣ ଡିଏସପି, ୪ ଇନସ୍ପେକ୍ଟର, ୯ ଏଏସଆଇ ଓ ଅନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ତଦନ୍ତ କାଳରେ ସଂସ୍ଥା ଜାଣିବାକୁ ପାଇଛି କି, ବସନ୍ତ କୁମାର ଦାସ ତାଙ୍କ ପୁରୀର ଏସବିଆଇ ଆକାଉଣ୍ଟକୁ ଏହି ଅର୍ଥ ସରକାରଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର ରି ତାହାକୁ ଉଠାଇ ନେଇଛନ୍ତି । ଖବର ଲେଖା ଯିବା ବେଳକୁ ଯାଞ୍ଚ ଜାରି ରହିଥିବା ସୂଚନା ରହିଛି । ସଂସ୍ଥା ଦାଶଙ୍କ ବିଭିନ୍ନ ଠିକଣାରୁ ବହୁ ଦସ୍ତାବିଜ ଜବତ କରିଛି । ତଦନ୍ତ ପରେ କେତେ କଣ ମିଳିଲା ତାହା ଜଣାପଡିବ । ଏନେଇ ଓଡିଶା ଦୁର୍ନୀତି ନିବାରଣ ସଂସ୍ଥା ପକ୍ଷରୁ ଦାଶଙ୍କ ବିରୋଧରେ ଏକାଧିକ ଧାରାରେ ମାମଲା ରୁଜୁ କରାଯାଇଛିା