ସହକାରୀ ନିର୍ବାହୀ ଯନ୍ତ୍ରୀ ଟଙ୍କା ନେଇ ଯାଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

0

ମାଲକାନଗିରି-: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ଗତକାଲି ସନ୍ଧ୍ୟାରେ ନିଜର କାରରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗର ଡିଏସପି ସଦାନନ୍ଦ ପାଣିଗ୍ରାହୀଙ୍କ ନେତୃତ୍ୱରେ କୋରାପୁଟ ଡିଭିଜନ ଏବଂ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପବିତ୍ର ମୋହନ ଗାଡ଼ିରେ ଟଙ୍କା ନେଇ ଯିବା ବେଳେ ଭିଜିଲାନ୍ସ ଏକ ଟିମ୍ ଚଢାଉ କରିଥିଲା । ଗୋବିନ୍ଦପାଲ୍ଲୀ ଛକ ନିକଟରେ ଭିଜିଲାନ୍ସ କର୍ମକର୍ତ୍ତା ଶ୍ରୀ ପାଣିଗ୍ରାହୀଙ୍କ କାରକୁ ଅଟକାଇ ଯାଞ୍ଚ କରିବା ପରେ କାରରୁ ନଗଦ ୫ ଲକ୍ଷ ୭ ହଜାର ଟଙ୍କା ଜବତ ହୋଇଥିଲା । ଏହି ଟଙ୍କା ଶ୍ରୀ ପାଣିଗ୍ରାହୀ କେଉଁଠାରୁ ଆଣିଲେ ଠିକ ରୂପେ କହି ନ ପାରିବାରୁ ତାଙ୍କୁ ଜୟପୁର ଏସପିଙ୍କ କାର୍ଯ୍ୟାଳୟକୁ ନିଆଯାଇ ଅଧିକା ତଦନ୍ତ କରାଯାଇଥିଲା । ତାହାପରେ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇ ବହୁ ପରିମାଣର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା । ଉଭୟ ସ୍ଥାନରୁ ୧୩ ଲକ୍ଷ ୫୦ ହଜାର ଜବତ କରିଥିଲା ଭିଜିଲାନ୍ସ।