ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ ଆରୁଖ, ଆସନ୍ତାକାଲି ଝାରସୁଗୁଡା ବାହାରିବ ଉପନିର୍ବାଚନର ଫଳାଫଳ ଆଜି ଇସ୍ତଫା ନେଇ ଚର୍ଚ୍ଚା

0

ଭୁବନେଶ୍ୱର: ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ।ଗଞ୍ଜାମ ଜିଲ୍ଲା ଭଂଜନଗରରୁ ୫ଥର ବିଧାୟକ ହୋଇଥିବା ବିକ୍ରମ ଆରୁଖ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ତାଙ୍କର ଇସ୍ତଫା ପତ୍ର ଉପ ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଦଳ ଯେତେବେଳେ ଦେଉଁ ଦାୟିତ୍ୱ ଦେଇଛି ମୁଁ ନିର୍ବାହ କରିଛି ।ଭବିଷ୍ୟତରେ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାକୁ ସେ ନିଷ୍ଠାର ସହ କରିବେ ।ସୂଚନା ଗତ ବର୍ଷ ଜୁନ୍ ମାସରେ ବରିଷ୍ଠ ବିଧାୟକ ସୂର୍ୟ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ବସିଥିଲେ ବିକ୍ରମ କେଶରୀ ଆରୁଖ। ଜୁନ୍ ୧୩ ତାରିଖରେ ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ଏଥିରେ ଆରୁଖଙ୍କୁ ବାଚସ୍ପତି କରିବା ପାଇଁ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପ-ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁୟାୟୀ ମୁଖ୍ୟମନ୍ତ୍ରୀ, ବିକ୍ରମ ଆରୁଖଙ୍କ ଉପରେ ବିବୃତି ରଖିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଏହା ପରେ ବାଚନିକ ଭୋଟରେ ଶ୍ରୀ ଆରୁଖ ନିର୍ବାଚିତ ହୋଇଥିଲେ ବୋଲି ଘୋଷଣା କରିଥିଲେ ଉପବାଚସ୍ପତି।

ତେବେ ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନର ଫଳାଫଳ ଆସିବାକୁ ଥିବାବେଳେ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ହଠାତ ଇସ୍ତଫା ଦେବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି। ବିଜୁ ଜନତା ଦଳର ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଶ୍ରୀ ଆରୁଖ ୨୦୦୯ ମସିହା ପରଠାରୁ ନବୀନ ମନ୍ତ୍ରିମଣ୍ଡଳରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହି ଆସିଛନ୍ତି।