କୋଲକାତା-: ଓ୍ବକ୍ଫ ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁସଲମାନ ବହୁଳ ମୁର୍ଶିଦାବାଦ ଜିଲ୍ଲାରେ ଆରମ୍ଭ ହୋଇଥିବା ବିକ୍ଷୋଭ ଉଗ୍ରରୂପ ନେଇଛି । ରବିବାର ପୁଣି ଥରେ ଧୂଲିଆନରେ ଗୁଳିକାଣ୍ଡ ଘଟିଥିବା ବେଳେ ୨ ଜଣ ଶିଶୁ ଆହତ ହୋଇଛନ୍ତି । ବିକ୍ଷୋଭକାରୀମାନେ ବିଏସ୍ଏଫ୍ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର ହିଂସା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣରେ ଥିବା କହିଥିବା ବେଳେ ଆଜି ସକାଳେ ଏଠାରେ ପୁଣି ଗୁଳିଚାଳନା ହୋଇଛି ।
ସୂଚନାଯୋଗ୍ୟ ୱାକଫ୍ ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ମୁସଲମାନ ସଂପ୍ରଦାୟ ଓ ସଂଗଠନ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ଏପ୍ରିଲ ୮ରୁ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାରେ ଏହି ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶିତ ହୋଇଆସୁଥିବାବେଳେ ଶୁକ୍ରବାର ଏହା ଉଗ୍ରରୂପ ଧାରଣ କରିଥିଲା । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ବାପ-ପୁଅ ପ୍ରାଣ ହରାଇଛନ୍ତି । ମୁର୍ଶିଦାବାଦ ବ୍ୟତୀତ ମାଲଦା, ଦକ୍ଷିଣ ଚବିଶ ପ୍ରଗଣା ଏବଂ ହୁଗୁଳି ଜିଲାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶିତ ହୋଇଥିବା ସୂଚନା ମିଳିଛି । ବିକ୍ଷୋଭକାରୀମାନେ ପୁଲିସ ଭ୍ୟାନ୍ ସମେତ ଏକାଧିକ ଯାନବାହନରେ ନିଆଁ ଲଗାଇ ଦେଇଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ଲାଠିଚାଳନା ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିବାବେଳେ ପୁଲିସକୁ ଫାଙ୍କା ଗୁଳିଚାଳନା ମଧ୍ୟ କରିବାକୁ ପଡିଥିଲା ।
ଶନିବାର ପଶ୍ଚିମବଙ୍ଗର ମୁସଲମାନ ମୁର୍ଶିଦାବାଦରେ ସାନି ହିଂସାକାଣ୍ଡ ଘଟାଇଥିଲେ । ଏଥିରେ ତିନି ଜଣ ପ୍ରାଣ ହରାଇଥିବାବେଳେ ଦୁଇ ପୁଲିସ ସମେତ ୧୭ ଜଣ ଆହତ ହୋଇଥିଲେ । ପୁଲିସ ଏହି ଘଟଣାରେ ୧୧୮ ଜଣଙ୍କୁ ଗିରଫ କରିଥିବାବେଳେ ସମଗ୍ର ଜିଲ୍ଲାରେ ପ୍ରତିଷେଧାତ୍ମକ ଧାରା ୧୬୩ ଜାରି କରାଯାଇଛି । କଲକାତା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ହିଂସା ପ୍ରଭାବିତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବାକୁ ବିଏସଏଫ୍ ଯବାନଙ୍କୁ ମୁତୟନ କରାଯାଇଛି । ହିଂସାତ୍ମକ ଗୁଜବ ସୃଷ୍ଟିକାରୀଙ୍କ କବଳରୁ ଜନସାଧାରଣଙ୍କୁ ଦୂରେଇ ରଖିବାକୁ ଇଣ୍ଟରନେଟ ବ୍ୟବସ୍ଥାକୁ ସାମୟିକ ଭାବେ ବାତିଲ କରାଯାଇଛି ।