ବ୍ୟୁରୋ : ବଢୁଛି ଭାରତ ଓ କାନାଡା ମଧ୍ୟରେ ତିକ୍ତତା। ସ୍ଥଗିତ ରହିଛି ଭାରତ, କାନାଡା ନାଗରିକଙ୍କ ପାଇଁ ଭିସା ସେବା। ଭାରତ ତରଫରୁ ଏ ପର୍ୟ୍ୟନ୍ତର ସବୁଠାରୁ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲାବେଳେ ଏବେ ଭାରତ, କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍ପେଣ୍ଡ କରିଦିଆଯାଇଛି। କାନାଡାରୁ ଭାରତ ଆସୁଥିବା କାନାଡୀୟ ନାଗରିକମାନଙ୍କ ପାଇଁ ଭିସା ସେବା ନିଲମ୍ବିତ କରାଯାଇଛି। ଆଜିଠାରୁ କାନାଡାରୁ କେହି ନାଗରିକ ଭାରତ ଆସିପାରିବେ ନାହିଁ। ଭିସା ସେବାକୁ ସ୍ଥଗିତ ରଖିବା ନେଇ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ। କିନ୍ତୁ କାନାଡାରେ ଭିସା ଆବେଦନ କେନ୍ଦ୍ର ଚଳାଉଥିବା ବିଏଲ୍ଏସ୍ ଇଣ୍ଟରନ୍ୟାସନାଲ୍ ଏ ସମ୍ବନ୍ଧରେ ନିଜର କାନାଡୀୟ ୱେବସାଇଟରେ ଏକ ମେସେଜ୍ ପୋଷ୍ଟ କରିଛି। ମେସେଜ୍ରେ ଲେଖାଯାଇଛି, ‘ଭାରତୀୟ ମିଶନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା: ପରିଚାଳନାଗତ କାରଣରୁ ଗୁରୁବାର (୨୦୨୩ ସେପ୍ଟେମ୍ବର ୨୧)ଠାରୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ୟ୍ୟନ୍ତ ଭାରତୀୟ ଭିସା ସେବାକୁ ସ୍ଥଗିତ ରଖାଯାଇଛି’।