ଭୁବନେଶ୍ୱର: ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ । ଏହି ଦିନ ରବିବାର ପଡୁଥିବାବେଳେ ବିଶ୍ୱକର୍ମାପୂଜା ମଧ୍ୟ ପଡୁଛି । ଆଉ ଏହି ଦିନରେ ଦେଶବାସୀଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦି । ବିଶ୍ଵକର୍ମା ଯୋଜନା ଆରମ୍ଭ କରିବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ତଥା ବିଶ୍ଵକର୍ମା ପୂଜା ଅବସରରେ ୧୭ସେପ୍ଟେମ୍ବରରେ ଆରମ୍ଭ ହେବ ଏହି ଯୋଜନା । ଭାରତର ବିଭିନ୍ନ ସ୍ଥାନରେ ଏହି କାର୍ୟ୍ୟକ୍ରମ ହେବାକୁ ଥିବାବେଳେ ଓଡ଼ିଶାରେ ମଧ୍ୟ ୩ଟି ସ୍ଥାନରେ କାର୍ୟ୍ୟକ୍ରମ ପାଇଁ ଯୋଜନା ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଓଡ଼ିଶାରେ ୧ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ଆକଳନ କରାଯାଇଛି । ଏବଂ ଜିଲ୍ଲା ସ୍ତରରେ ଚିହ୍ନଟ କରିବା ପାଇଁ କମିଟି ରହିବ । ଏହା ଦ୍ୱାରା ପାରମ୍ପରିକ କାରିଗର ଏବଂ ଶିଳ୍ପୀକାର ମାନେ ଉପକୃତ ହେବେ । କୌଳିକ ବୃତ୍ତିକୁ ଆଧାର କରି ଜୀବନଯାପନ କରୁଥିବା ଲୋକଙ୍କୁ ଏଥିରେ ସାମିଲ କରାଯିବ । ବଢେଇ, ଡଙ୍ଗା ନିର୍ମାତା, ପଥର କାରିଗର, ଜୋତା କାରିଗର, ଝୁଡ଼ି, ମସିଣା ଏବଂ କତା କାରିଗର, ଧୋବା, ମାଛ ଜାଲ ନିର୍ମାତା ଭଳି ୧୮ଟି ବର୍ଗଙ୍କୁ ଏଥିରେ ସାମିଲ କରାଯିବ । ପରିଚୟ ପତ୍ର ଏବଂ ସାର୍ଟିଫିକେଟ ମଧ୍ୟ ମିଳିବ ।