ଆଜି ଠାରୁ ଭିସ୍ତାରାର ନୂଆ ପରିଚୟ ଏୟାର ଇଣ୍ଡିଆ

0

ବ୍ୟୁରୋ : ଆଜି ଠାରୁ ବଦଳିଗଲା ଭିସ୍ତାରାର ପରିଚୟ । ବିମାନ ସେବା ପ୍ରଦାନକାରୀ କମ୍ପାନୀ ଭିସ୍ତାରା ସୋମବାର ଅହମ୍ମଦାବାଦ-ଦିଲ୍ଲୀ ମଧ୍ୟରେ ଭରିଥିଲା ତାର ଶେଷ ଉଡ଼ାଣ। ଏବଂ ବିମାନବନ୍ଦର କର୍ମଚାରୀମାନେ ଏକାଠି ହୋଇ ରନୱେରେ ଭିସ୍ତାରା ଏୟାରଲାଇନ୍ସକୁ ଶେଷ ବିଦାୟ ଦେଇଥିଲେ। ଆଜି ପରେ ଏହାର ନୂଆ ପରିଚୟ ପାଲଟିଲା ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆ ।
ଏୟାର ଇଣ୍ଡିଆରେ ବିଲୀନ ହେଲା ଭିସ୍ତାରା। ୧ ଦଶନ୍ଧିର କାରବାର ମଧ୍ୟରେ ଏକ ପୂର୍ଣ୍ଣକାଳୀନ ସେବା ଯୋଗାଣକାରୀ ଭାବେ ଭିସ୍ତାରା ଭିନ୍ନ ପରିଚୟ ଛାଡ଼ିଯାଇଛି । ଟାଟା ଗ୍ରୁପ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପରେ ୨୦୨୨ରେ ଆସିଥିଲା ଏହି ମିଶ୍ରଣ ପ୍ରସ୍ତାବ । ଭିସ୍ତାରାରେ ୪୯% ଅଂଶଧନ ହାସଲ କରିଥିବା ସିଙ୍ଗାପୁର ଏୟାରଲାଇନ୍ସ ଏୟାର ଇଣ୍ଡିଆରେ ମିଶ୍ରଣ ପରେ ଏବେ ୨୫.୧% ଅଂଶଧନ ପାଇବ । ମିଶ୍ରିତ କମ୍ପାନିରେ ସିଙ୍ଗାପୁର ଏୟାର୍ଲାଇନ୍ସ ୩,୧୯୪ କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡ଼ିଛି । ମିଶ୍ରଣ ପରେ ଏବେ ଭିସ୍ତାରା ଏୟାର ଇଣ୍ଡିଆର ବ୍ରାଣ୍ଡ୍ ଭାବେ ପରିଚିତ ହେବ । ଏହାସହିତ ଏୟାର୍ ଇଣ୍ଡିଆ ଦେଶର ଏକମାତ୍ର ପୂର୍ଣ୍ଣକାଳୀନ ଏବଂ ସୁଲଭ ଏୟାର୍ଲାଇନ୍ସ ପାଲଟିବ।

ବିହାନ ଏଆଇ ଭାବେ ଟାଟା ଗ୍ରୁପ ଏୟାର ଇଣ୍ଡିଆର ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି ବିମାନ କମ୍ପାନିକୁ ବିଶ୍ୱସ୍ତରୀୟ କରିବା ଦିଗରେ ଏବେ ଜୋରଦାର ଉଦ୍ୟମ ହେଉଛି । ତେବେ ଭିସ୍ତାରା ପ୍ରଦାନ କରୁଥିବା ଗୁଣବତ୍ତା ସେବା ଏୟାର ଇଣ୍ଡିଆ ପ୍ରଦାନ କରିବାରେ ସକ୍ଷମ ହୋଇପାରିବ କି ନାହିଁ ସେ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରଶ୍ନ ରହିଛି ।

କେନ୍ଦ୍ର ସରକାରଙ୍କ ନିକଟରେ ଏୟାର ଇଣ୍ଡିଆ ଥିବା ବେଳେ ଏହା ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ଏକ ପୂର୍ଣ୍ଣକାଳୀନ ବିମାନ ସେବା ଯୋଗାଣକାରୀ ଭାବେ ଗୁଣବତ୍ତା ସେବା ପ୍ରଦାନରେ ଏହା ଏତେଟା ପ୍ରତିଯୋଗିତା ମନୋଭାବ ରଖିବାକୁ ସକ୍ଷମ ହୋଇ ନ ଥିଲା । ଟାଟା ହାତକୁ ଯିବା ପରେ ଫ୍ଲିଟ୍ର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଉପରେ ଏବେ କାର୍ଯ୍ୟ ହେଉଛି । ତେବେ ଏ କ୍ଷେତ୍ରରେ ସ୍ଥିତି ଦୃଢ଼ କରିବାକୁ କମ୍ପାନିକୁ ବହୁତ କଠିନ ରାସ୍ତା ଅତିକ୍ରମ କରିବାକୁ ପଡ଼ିବ ବୋଲି କୁହନ୍ତି ବିଶେଷଜ୍ଞ । ଭିସ୍ତାରା ସିଇଓ ବିନୋଦ କାନନ କୁହନ୍ତି, ମିଶ୍ରଣର ଆଗାମୀ କିଛି ମାସ ଲାଗି ଭିସ୍ତାରା ସେବା ଓ ଅଭିଜ୍ଞତା ସମାନ ରହିବ ।

ବିମାନଗୁଡିକ ସେହି ସମୟ ଏବଂ ସମାନ କ୍ର୍ୟୁ ସଦସ୍ୟଙ୍କୁ ନେଇ ପରିଚାଳିତ ହେବ । ତେବେ ବିମାନର ନମ୍ବର ଏୟାର ଇଣ୍ଡିଆ ଅନୁସାରେ ପରିବର୍ତ୍ତନ ହେବ । ଭିସ୍ତାରାର ମାନକ ନୂତନ ଭାବେ ପରିବର୍ଦ୍ଧିତ ଏୟାର ଇଣ୍ଡିଆ ଲାଗି ନୂଆ ପରିଚୟ ସୃଷ୍ଟି କରିବ। ଏୟାର ଇଣ୍ଡିଆକୁ ଭିସ୍ତାରା ଭଳି ସେବା ଯୋଗାଣ ସମକକ୍ଷ କରାଯିବ ଯୋଜନା ରହିଛି ।

ଗ୍ରାହକ ପୂର୍ବରୁ ଭିସ୍ତାରା ଲାଗି ୩ ସଂଖ୍ୟା ବିଶିଷ୍ଟ ବିମାନ ନମ୍ବରକୁ ବୁକିଂ ବେଳେ ଦେଖିବାକୁ ପଡୁଥିଲା । ଏହା ଏବେ ଆରମ୍ଭରୁ ୨ ସହ ୪ ସଂଖାବିଶିଷ୍ଟ ହେବ । ଉଦାହରଣ ସ୍ୱରୂପ ଏବେ ବ୍ରିଟେନ ଲାଗି ଭିସ୍ତାରାର କୋଡ୍ ୟୁକେ ୯୫୫ ଥିବା ବେଳେ ଏହା ଏଆଇ ୨୯୫୫ ଭାବେ ରୂପାନ୍ତରିତ ହେବ । ଭିସ୍ତାରାର ରୁଟ୍ ଏବଂ ସମୟ ସୁଚୀ ପୂର୍ବ ବିମାନଗୁଡିକ ଭଳି ସମାନ ରହିବ। ବିମାନର ମେନ୍ୟୁ ଏବଂ ସେବା ମଧ୍ୟ ସମାନ ରହିବ। ସମାନ କ୍ର୍ୟୁ ମଧ୍ୟ ବିମାନରେ ରହିବେ ।

ଏୟାର ଇଣ୍ଡିଆର ଥିନ୍ ବଡି ବିମାନଗୁଡିକୁ ନୂଆ ବିମାନ ଏବଂ ନୂଆ ଇଣ୍ଟେରିୟର ଓ ଭିସ୍ତାରାର କ୍ୟାଟରିଂ ଏୟାର ଇଣ୍ଡିଆକୁ ଯିବ । ଏହି ବିମାନ କମ୍ପାନି ଦ୍ୱୟର ମିଶ୍ରଣ ଦ୍ୱାରା ବାର୍ଷିକ ୫୦୦ କୋଟି ଟଙ୍କା ସଞ୍ଚୟ ହେବ । ପ୍ରମୁଖ ରୁଟ୍ଗୁଡିକରେ ଏୟାର ଇଣ୍ଡିଆ ପୁରୁଣା ବିମାନ ପରିବର୍ତ୍ତେ ଭିସ୍ତାରର ବିମାନଗୁଡିକୁ ମଧ୍ୟ ଚଳାଇବ । ଉଭୟ କମ୍ପାନି ଯୋଗାଉଥିବା ଅନ୍ତର୍ଜାତୀୟ ବିମାନ ସେବାକୁ ପୁନଃ ସଙ୍ଗଠିତ କରିବେ।

ବିମାନ ବନ୍ଦରରେ ଗ୍ରାହକ ଯେଭଳି କୌଣସି ସମସ୍ୟାର ସାମ୍ନା ନ କରନ୍ତି ଏବେ ସେଥିଲାଗି ଅତିରିକ୍ତ ଟଚ୍ ପଏଣ୍ଟ ସ୍ଥାପନ ଏବଂ ବିମାନ ବନ୍ଦର ସହ ମିଳିତ ହୋଇ କାର୍ଯ୍ୟ କରୁଛି ଏୟାର ଇଣ୍ଡିଆ । ଗ୍ରାହକଙ୍କୁ ସହାୟତା କରିବା ଲାଗି କର୍ମଚାରୀମାନେ ଭିସ୍ତାରା ଟିସାର୍ଟ ମଧ୍ୟ ପିନ୍ଧିବେ । ବିମାନ ବନ୍ଦରର ସୁରକ୍ଷାକର୍ମୀମାନେ ମଧ୍ୟ ଏ କ୍ଷେତ୍ରରେ ଗ୍ରାହକଙ୍କୁ ସହାୟତା କରିବେ । ଗତ କିଛି ମାସ ୨.୭ ଲକ୍ଷ ରିଜର୍ଭ ଗ୍ରାହକ ଏବଂ ୪୫ ଲକ୍ଷ ଲୟାଲ୍ ଗ୍ରାହକଙ୍କୁ ଏୟାର ଇଣ୍ଡିଆକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଯୋଗ୍ୟ ଯେ, ନଭେମ୍ବର ୧୨ ପରର ଭିସ୍ତାରା ଟିକଟଗୁଡିକୁ ଏୟାର ଇଣ୍ଡିଆକୁ ସ୍ଥାନାନ୍ତର କରାଯାଇଛି । ଗ୍ରାହକଙ୍କ ସୁବିଧା ଲାଗି ଭିସ୍ତାରାର ୧୪୦ ସିଷ୍ଟମକୁ ଏଥିଲାଗି ମାଇଗ୍ରେଟ୍ କରାଯାଇଛି । ଏହା ମଧ୍ୟରେ ଭିସ୍ତାରାକୁ ସେବା ଯୋଗାଉଥିବା ୩୩୮୫ ସେବା ଯୋଗାଣକାରୀ, ଦୈନିକ ୩୨୦ ଫ୍ଲାଇଟ, ୩୩୦୦ କ୍ର୍ୟୁ, ୮୬ ଆଇଟି କଣ୍ଟ୍ରାକ୍ଟସ ଏବଂ ୬୫୦୦ କର୍ମଚାରୀ ଏୟାର ଇଣ୍ଡିଆରେ ସାମିଲ ହୋଇଛନ୍ତି ।