ଶ୍ରୀନଗର-: ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ, ଭାରତ ମଙ୍ଗଳବାର ମଧ୍ୟ ରାତି ୧ଟା ୩୦ରେ ପାକିସ୍ତାନ ଏବଂ ପିଓକେରେ ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା, ଯାହାକୁ ‘ଅପରେସନ ସିନ୍ଦୂର’ ନାମ ରଖାଯାଇଥିଲା । ଭାରତ, ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ବାୟୁସେନା ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି ।
ତେବେ ଭାରତୀୟ ବାୟୁସେନା ଆଜି ଓ ଗୁରୁବାର ଦୁଇଦିନ ପାଇଁ ବଡ ଧରଣର ଯୁଦ୍ଧ ଅଭ୍ୟାସ କରିବାକୁ ଯାଉଛି। ଏଥିପାଇଁ ସରକାର ନୋଟିସ୍ ଟୁ ଏୟାରମ୍ୟାନ (ନୋଟାମ୍) ଜାରି କରିଛନ୍ତି। ପାକିସ୍ତାନ ସୀମାନ୍ତ ମରୁଭୂମି ଓ ଆଖପାଖ ଅଞ୍ଚଳରେ ଏହି ଯୁଦ୍ଧ ଅଭ୍ୟାସ କରାଯିବ। ଏଥିରେ ବାୟୁସେନାର ରାଫେଲ, ମିରେଜ-୨୦୦୦ ଓ ସୁଖୋଇ -୩୦ ଯୁଦ୍ଧ ବିମାନ ସାମିଲ ହେବ। ନୋଟାମ୍ ଜାରି କରାଯିବା ଅର୍ଥ ଯେଉଁ ଅଞ୍ଚଳରେ ଯୁଦ୍ଧ ଅଭ୍ୟାସ କରାଯିବ ସେଠାରେ ବାୟୁସୀମାର ବ୍ୟବହାରକୁ ସୀମିତ କରାଯିବ । ମେ ୨ରେ ବାୟୁସେନାର ଯୁଦ୍ଧବିମାନ ଉତ୍ତରପ୍ରଦେଶ ଶାହାଜାହାନପୁରର ଗଙ୍ଗା ଏକ୍ସପ୍ରେସ୍ ୱେରେ ଅବତରଣ ଅଭ୍ୟାସ କରିଥିଲା । ସେନାର ଏପରି ଯୁଦ୍ଧ ଅଭ୍ୟାସ ସହିତ ସାଧାରଣ ନାଗରିକଙ୍କୁ ଯୁଦ୍ଧ ଜନିତ ଆସନ୍ନ ବିପଦରୁ ସୁରକ୍ଷିତ ରଖିବା ଲାଗି ଆଜି ଦେଶର ୨୫୯ଟି ସ୍ଥାନରେ ଆବଶ୍ୟକ ମକ୍ ଡ୍ରିଲ୍ କରାଯିବ । ଏହି ମକ୍ ଡ୍ରିଲ୍ରେ ଲୋକଙ୍କୁ ଯୁଦ୍ଧ ସମୟରେ ସମ୍ମୁଖୀନ ହେବାକୁ ଥିବା ବିପଦକୁ ମୁକାବିଲା ଲାଗି ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦିଆଯିବ।