(ଜ୍ୟୋତିରଞ୍ଜନ ଧର) କଣିହାଁ: ଚଳିତ ବର୍ଷ ନିମନ୍ତେ ପାର୍ବଣର ଋତୁ ଆରମ୍ଭ ହୋଇ ଗଲାଣି । ଆଉ କିଛି ଦିନ ପରେ ଅନୁଗୋଳ ନାଲକୋନଗରରେ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ଧୂମଧାମରେ ପାଳିତ ହେବାକୁ ଯାଉଅଛି । ପରେ ରହିଛି ମା ଦୁର୍ଗତିନାଶିନୀ ଦୂର୍ଗା ଏବଂ ଗଜଲକ୍ଷ୍ମୀଙ୍କ ପୂଜା । ଏନେଇ ସମଗ୍ର ନାଳକୋନଗର ଏବଂ ଅନୁଗୋଳ ସହରରେ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି ।ତେବେ ଚଳିତ ବର୍ଷ ପୂଜା ସମୟରେ ଦେଖଣାହାରୀଙ୍କ ପାଇଁ ସବୁଠାରୁ ବଡ ବାଧକ ଜାତୀୟ ରାଜପଥ-୫୫ ସାଜି ପାରେ । କାରଣ ଅନୁଗୋଳ ଦେଇ ଯାଇଥିବା ଏହି ଜାତୀୟ ରାଜପଥ ବଅଁରପାଳଠାରୁ ଆରମ୍ଭ କରି ବଡକେରା ପର୍ୟ୍ୟନ୍ତ କଚ୍ଚାରାସ୍ତା ଠାରୁ ହୀନ ଅବସ୍ଥାରେ ଅଛି । ବଡ ବଡ ଖାଲ ରହିଥିବାବେଳେ ବର୍ଷା ପାଣି ଲହଡି ମାରୁଛି । ଏମିତି ଶୋଚନୀୟ ଅବସ୍ଥା ହୋଇଛି ଯେ ଯିବା ଆସିବା କରୁଥିବା ଅନୁଗୋଳବାସୀ ମରଣ ସହ ସବୁଦିନ ସଂଘର୍ଷ କରୁଥିବା ଭଳି ଅନୁଭବ ହେଉଛି । କେବଳ ଯେ ଜିଲ୍ଲାବାସୀ ତା ନୁହେଁ ,ଏହି ରାସ୍ତା ଦେଇ କଟକ-ସମ୍ବଲପୁର ଯିବା ଆସିବା କରୁଥିବା ଗାଡି ଚାଳକ ଏବଂ ଯାତ୍ରୀ ମଧ୍ୟ ତ୍ରାହି ତ୍ରାହି ଡାକିଲେଣି ।ହେଲେ ଏନ.ଏଚ.ଏ.ଆଇ ଏହି ରାସ୍ତାର ମରାମତି କରିବାର ନାଁ ଧରୁ ନାହିଁ । ଅନ୍ୟପଟେ ରାସ୍ତା ପ୍ରଶସ୍ତିକରଣ କରୁଥିବା ଠିକା ସଂସ୍ଥା ମଧ୍ୟ ଗାଲୁଆ ଭଳି ବସି ରହିଛି । ସବୁଠାରୁ ବଡ କଥା ହେଲା ବାରମ୍ବାର ଜିଲ୍ଲା ପ୍ରଶାସନକୁ ସାଧାରଣ ଲୋକ ଆପତ୍ତି କରିବା ପରେ ଜିଲ୍ଲାପାଳ ତୁରନ୍ତ ରାସ୍ତା ମରାମତି କରିବାକୁ ଏନ.ଏଚ.ଏ.ଆଇ ଓ ଠିକା ସଂସ୍ଥାକୁ ନିର୍ଦେଶ ଦେଇଥିଲେ ।ତେବେ ଜିଲ୍ଲାପାଳଙ୍କ ନିର୍ଦେଶକୁ ବର୍ତ୍ତମାନ ସୁଦ୍ଧା ଉଭୟ ପାଳନ କରୁ ନାହାନ୍ତି । ତେବେ ଏଭଳି ପରିସ୍ଥିତି ଯଦି ଲାଗି ରହେ ତେବେ ପୂଜା ଦେଖିବାକୁ ଆସିବା ଲୋକ ବହୁ ଅସୁବିଧା ଏବଂ ଦୁର୍ଘଟଣାର ଶିକାର ହେବାର ସମ୍ଭାବନା ରହିଛି ।ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଘଟଣାର ଗୁରୁତ୍ଵକୁ ବୁଝିବା ସହ ଏନ.ଏଚ.ଏ.ଆଇ ଓ ଠିକା ସଂସ୍ଥା ଯଦି ଜାତୀୟ ରାଜପଥର ମରାମତି ନ କରନ୍ତି ତେବେ ତାଙ୍କ ନାମରେ ଗିରଫ ପରୱାନା ଜାରୀ କରାଯିବ ବୋଲି ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଦୃଢକ୍ତି ପ୍ରକାଶ କରିଛନ୍ତି କ୍ଷ