ୱାୟନାଡ଼ : ୱାୟନାଡ଼ରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୨୭୦ରେ ପହଞ୍ଚିଛି। ୨୨୫ ଜଣ ଏବେ ବି ନିଖୋଜ ଅଛନ୍ତି। ୧୬୭ ମର ଶରୀରର ବ୍ୟବଚ୍ଛେଦ ଶେଷ ହୋଇଛି। ୫୨ଟି ମର ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ବି ସର୍ଚ୍ଚ ଅପରେସନ ଜୋରାଦାର ଚାଲିଛି ।
ସେପଟେ କେରଳରେ ବର୍ଷା ଥମିବାର ନାଁ ନେଉ ନାହିଁ। ପ୍ରବଳ ବର୍ଷା ଭିତରେ ହିଁ ଚାଲିଛି ମାଟି ତଳୁ ଜୀବନ ଖୋଜା। ଗତରାତିରେ ୨୦ ଘଣ୍ଟା ଧରି ଚାଲିଥିବା ଉଦ୍ଧାର ଅପରେସନ୍ ଅସ୍ଥାୟୀ ଭାବେ ବନ୍ଦ ରହିବା ପରେ ଆଜି ସକାଳୁ ପୁଣି ଏହା ଆରମ୍ଭ ହୋଇଛି।
ପାଖାପାଖି ୨୦୦ ଲୋକ ଏବେ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ୱାୟନାଡ଼ ବିପର୍ଯ୍ୟୟ ପାଇଁ ୪୫ଟି ରିଲିଫ୍ ଶିବିର ଖୋଲାଯାଇଛି ଏବଂ ଏଠାରେ ୩ ହଜାରରୁ ଅଧିକ ଲୋକ ରହୁଛନ୍ତି। ଭୂସ୍ଖଳନରେ ୫ଟି ଗାଁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ମୁଣ୍ଡାକ୍କାଇ ଏବଂ ଚୁରାଲମାଲାରେ ୩୦୦ରୁ ଅଧିକ ଘର ମାଟିରେ ମିଶି ଯାଇଛି।
ସେପଟେ ସଂସଦରେ ବି ଉଠିଛି ୱାୟନାଡ ବ୍ୟଥା। ରାଜ୍ୟସଭାରେ ଏହାକୁ ନେଇ ଜୋରଦାର ବିତର୍କ ବି ହୋଇଛି। ସେଠି କାହିଁକି ବିପର୍ଯ୍ୟୟ ନେଇ ଆଗୁଆ ସୂଚନା ଦିଆଯାଇନଥିଲା ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ। ଉତ୍ତରରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ-ଗତ ୨୩ ଓ ୨୪ ତାରିଖରେ ସେଠି ଭୂସ୍ଖଳନ ହେବା ଆଶଙ୍କା ଥିବା ନେଇ କେନ୍ଦ୍ର ଆଗୁଆ କେରଳ ସରକାରଙ୍କୁ ଆଲର୍ଟ କରିଥିଲା। ଏମିତିକି ୯ଟି ଏନଡିଆରଏଫ୍ ଟିମ୍ ବି ପଠାଯାଇଥିଲା। ଯଦି ସେତେବେଳେ ଲୋକଙ୍କୁ ସତର୍କ କରାଯାଇଥାନ୍ତା, ଏତେ ଜୀବନହାନି ହୋଇନଥାନ୍ତା। ଅନ୍ୟପଟେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ କହିଛନ୍ତି ଏ ସମୟ ବ୍ଲେମ୍ ଗେମର ନୁହେଁ। ସମୟ ଧୈର୍ଯ୍ୟ ଓ ମୁକାବିଲାର ।