ୱାୟନାଡ : କେରଳ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୦୦ ଡେଇଁଲା । ସମୟ ବଢ଼ିବା ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଏବେ ବି ମାଟି ତଳୁ ଚାଲିଛି ଜୀବନ ଖୋଜା । ଅନେକ ଗାଁ, ଜନବସତି ଧ୍ୱଂସ ସ୍ତୁପରେ ପରିଣତ ହୋଇଯାଇଛି ।
ବର୍ତ୍ତମାନ ସୁଦ୍ଧା ୱାୟନାଡରେ ସୃଷ୍ଟି ହୋଇଥିବା ଜଳ ପ୍ରଳୟରେ ମୃତ୍ୟୁସଂଖ୍ୟା ୨୦୫ ଛୁଇଁଥିବା ରିପୋର୍ଟ ପ୍ରକାଶ ପାଇଛି। ୱାୟନାଡର ମୁଣ୍ଡାକ୍କାଇ ଓ ଚୋରାରମାଲାରେ ଭୂସ୍ଖଳନ ପରେ ନଦୀ ଜଳ ଗାଁ ଭିତରେ ପଶି ମୃତ୍ୟୁର ତାଣ୍ଡବ ରଚିଛି ।
ବିଶାଳକାୟ ପଥର ଖଣ୍ଡ ତଳ ହେଉ କି କାଦୁଅ ଭର୍ତ୍ତି ମାଟି, ଖୋଜିଲେ ଉଦ୍ଧାରକର୍ମୀଙ୍କୁ ମିଳୁଛି ମାଳ ମାଳ ମୃତଦେହ । କେଉଁଠି ସନ୍ଧାନୀ କୁକୁର ସହାୟତାରେ ଜୀବନ ଖୋଜା ଚାଲିଛି, ତ ପୁଣି କେଉଁଠି ନିଜ ଜୀବନକୁ ବାଜି ଲଗାଇ ଏମିତି ବଢିଲା ନଈ ଆରପଟୁ ଜୀବନ ବଞ୍ଚାଇବାରେ ବି ଲାଗିଛନ୍ତି ରେସ୍କ୍ୟୁ ଅପରେସନରେ ସାମିଲ ତିନି ସେନାର ଯବାନ ।
ସେପଟେ ଭୂସ୍ଖଳନ ଘଟଣା ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୁଧବାର ରାଜ୍ୟ ସଭାରେ ଭାଷଣ ଦେଇଛନ୍ତି। କେରଳ ସରକାରଙ୍କ ଉପରେ ଆକ୍ରମଣ କରି ସେ କହିଛନ୍ତି, ଏଭଳି ବିପର୍ଯ୍ୟୟର ସମ୍ଭାବନା ସମ୍ପର୍କରେ କେରଳ ସରକାରଙ୍କୁ ପୂର୍ବରୁ ଚେତାବନୀ ଦିଆଯାଇଛି। ସାଧାରଣତଃ ଅନେକ ରାଜ୍ୟ ଏଭଳି ଚେତାବନୀ ପ୍ରତି ଧ୍ୟାନ ଦିଅନ୍ତି, କିନ୍ତୁ କେରଳ ସରକାର ଏହାକୁ ଅଣଦେଖା କରିଛନ୍ତି।